କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାଟଣା: ଶନିବାର ଦିନ ପାଟଣା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଈଶ୍ୱର ଚନ୍ଦ୍ର ନାୟକ ଓ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ସେଠୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଶିକ୍ଷା ଅଧୀନରେ ପ୍ରଥମରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗର ଶିକ୍ଷକ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଉଥିବା ବେଳେ ପ୍ରାଥମିକ କନିଷ୍ଠ ଶିକ୍ଷକ ଜଣେ ଅଣକୁଶଳୀ ଶ୍ରମିକଙ୍କ ଠାରୁ କମ ପାରିଶ୍ରମିକ ତଥା ୬୫୧୨ ଟଙ୍କା ଯାହା ଦୈନିକ ୨୧୭ ଟଙ୍କା ପାରିଶ୍ରମିକ ପାଉଛନ୍ତି। ତାହା ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ିଲାଣି ବୋଲି ଉପସ୍ଥିତ ଶିକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

ଏଥି ସହିତ ଓଡିଶା ସରକାରୀ କର୍ମଚାରୀ ବର୍ଗ-ଗ ( ଚୁକ୍ତିନାମା ନିୟମ ୨୦୧୩) ଅଧୀନସ୍ଥ କର୍ମଚାରୀଙ୍କ ପାଇଁ ଗତ ୧୧- ୧୦-୨୦୨୧ କ୍ୟାବିନେଟ ବୈଠକରେ ନିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ଓଡିଶା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହିତ ଚୁକ୍ତିନାମା ୨୦୧୩ରେ ସାମିଲ କରିବା ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଅତିକୁଶଳୀ ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ କରିବା ସହ ଏହାକୁ ଗତ ୨୦୧୬ ରୁ ଲାଗୁ କରାଯାଉ ବୋଲି ପାଟଣା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ହୀରାଲାଲ ଦଣ୍ଡପାଟ, ସମ୍ପାଦକ ଲଳିତ ମୋହନ ମହାନ୍ତ, କୋଷାଧ୍ୟକ୍ଷ ଚନ୍ଦନ କୁମାର ରାଉତ, ରାଜ୍ୟ ସଂଘର କୋଷାଧ୍ୟକ୍ଷ ଗୁଲଶନ ପଣ୍ଡା, ବିଜୟଲକ୍ଷ୍ମୀ ଦାସ, ତେଜସ୍ୱିନୀ ଦାଶ, ସୀମାଞ୍ଚଳ ବାରିକ , ଅଜିତ କୁମାର ଦାସ, ରାଜକିଶୋର ଭୁତଟିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେହିପରି ସାହାରପଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ସମାନ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଓ ବିଇଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଶତ୍ରୁଘ୍ନ ଖୁଣ୍ଟିଆ, ସମ୍ପାଦକ ଖଗେନ୍ଦ୍ର ମହାନ୍ତ ଓ ଅନ୍ୟ କନିଷ୍ଠ ଶିକ୍ଷକମାନଙ୍କ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.