ଚିକିତ୍ସା ସେବା ଯୋଗାଇବାରେ ବିଫଳ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ବୃହତ୍ତମ ବ୍ଲକ ଅଞ୍ଚଳ ସାହାରପଡ଼ା ବ୍ଲକ ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟସେବା ଦାୟିତ୍ଵ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ବ୍ଲକ ଅଞ୍ଚଳର ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟେକି ଦିଆଯାଇଛି। ୧୯୬୯ ମସିହାରୁ ସ୍ଥାପିତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଜି ପଯ୍ୟନ୍ତ ଜନସାଧାରଣଙ୍କ ଠାରୁ ବାହାବା ସାଉଁଟିବାରେ ସଫଳ ହୋଇପାରିନାହି। ବିଶେଷ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟି ଭୌଗଳିକ ପରିସ୍ଥିତି ଦୃଷ୍ଟିରୁ ଗ୍ରାମାଞ୍ଚଳ ଭଳି ଲାଗୁଥିବାରୁ ଏଠାରେ କୌଣସି ଅଭିଜ୍ଞ ବା ଦକ୍ଷ ଡାକ୍ତର ରହିବାକୁ ଇଛା ପ୍ରକାଶ କରୁନାହାନ୍ତି। ସାଧାରଣ ଦୁର୍ଘଟଣାଗ୍ରସ୍ତ ରୋଗୀ ହେଉକି କି ସାମାନ୍ୟ ଜଟିଳ ପ୍ରସବ ହେଉ ସେମାନଙ୍କୁ ପଡୋଶୀ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଅଥବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି।

ମାତ୍ର ଜଣେ ଦୁଇ ଜଣ ଡାକ୍ତର ଏଠାରେ ରହୁଥିବାରୁ ଜଣେ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦ୍ଵାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟଳୟ କାର୍ଯ୍ୟ ଠାରୁ ଗୋଷି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ବିଭାଗୀୟ କାର୍ଯ୍ୟ ଓ କର୍ମଚାରୀଙ୍କ ଭଲ ମନ୍ଦ ବୁଝିବାକୁ ସମୟ ଅଣ୍ଟୁନଥିବା କାରଣରୁ ଜଣେ ଡାକ୍ତରଙ୍କ ପକ୍ଷରେ ଏଠାରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ହେଉକି ପ୍ରାଥମିକ ଚିକିତ୍ସା ଦେବା କଷ୍ଟକର ହୋଇପଡ଼ୁଛି। ଏହି ଡ଼ାକ୍ତରଖାନାରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କୁ ମିଶାଇ ଚାରି ଜଣ ଏଲୋପାଥିକ ଡାକ୍ତର ରହିବା ପାଇଁ ପଦବୀ ଅନୁମୋଦିତ ଥିବାବେଳେ ବିଶେଷଜ୍ଞ ଡାକ୍ତରଙ୍କୁ ଅଞ୍ଚଳବାସୀ ଦେଖି ପାରୁନାହାନ୍ତି। ବିଶେଷ କରି ଗରିବ ଓ ଆଦିବାସୀ ଅଞ୍ଚଳର ଲୋକମାନେ ସରକାରୀ ମାଗଣା ସେବା ଉପରେ ଭରଷା ରଖୁଥିବା ବେଳେ ସେମାନଙ୍କ ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଫଳ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ଏବେ ମାତ୍ର ଦୁଇଜଣ ଏଲୋପାଥିକ ଡାକ୍ତର ଅଛନ୍ତି। ଜଣେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଓ ଜଣେ ଏମ.ବି.ବି.ଏସ ଡାକ୍ତରଙ୍କ ସହ ଅତିରିକ୍ତ ଜଣେ ଆୟୁଷ ଡାକ୍ତର ଅଛନ୍ତି। ସେହିପରି ଦୁଇ ଜଣ ଫାର୍ମାସିଷ୍ଟ, ଚାରି ଜଣ ଷ୍ଟାଫ ନର୍ସ ଓ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଡାକ୍ତରଖାନା ଚାଲିଛି।

ଜିଲା ଖଣିଜ ପାଣ୍ଠି ଅର୍ଥରେ ବିଭିନ୍ନ ଡାକ୍ତରଖାନାକୁ ବୟସ୍କ ଠିକା ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଉଦୟପୁର ଡାକ୍ତରଖାନାକୁ ଆଜି ପର୍ଯ୍ୟନ୍ତ ଠିକା ଡାକ୍ତର ଦିଆଯାଇନାହିଁ। ଉଦୟପୁର ଡ଼ାକ୍ତରଖାନାରେ ନିହାତି ଚାରି ଜଣ ଡାକ୍ତର ନିଯୁକ୍ତି ଦିଆ ଗଲେ ଡାକ୍ତରଖାନାର ମୁଖ୍ୟ ସମସ୍ୟା ଦୂର ହୋଇ ପାରିବ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି। ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ଅତିରିକ୍ତ ଡାକ୍ତର ନିଯୁକ୍ତି କରାଯିବାକୁ ଦାବି ହୋଇଛି। କିଛି ଦିନ ତଳେ ଏହି ଡାକ୍ତରଖାନାକୁ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଡେପୁଟେସନରେ ରାଜଧାନୀରେ କାମ କରୁଥିବା ସୂଚନା ଥିବାରୁ ଏଠାକୁ ଯଥା ଶୀଘ୍ର ଅତିରିକ୍ତ ଡାକ୍ତର ପଠାଇବାକୁ ମଧ୍ୟ ଜନସାଧାରଣ ମତ ରଖିଛନ୍ତି।

Comments are closed.