ଲଗାତାର ଚୋରି ନେଇ ବଣିକ ସଂଘ ସହ ପାଟଣା ଥାନାଧିକାରୀଙ୍କ ବୈଠକ

ପାଟଣା: ପାଟଣା ବଜାର ଅଞ୍ଚଳ ଓ ଏହାର ଆଖପାଖରେ ଲଗାତାର ଚୋରୀ, ରାହାଜାନି, ଛିନ୍ତାଇ ଭଳି ଘଟଣା ହେଉଥିବା ବେଳେ ଏହା ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପାଟଣା ବଣିକ ସଂଘ ପକ୍ଷରୁ ପାଟଣା ଥାନା ଅଧିକାରୀଙ୍କ ସହିତ ସୌଜନ୍ୟମୂଳକ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପାଟଣା ବଜାର ଓ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଓ ଚୋରିକୁ ନେଇ ଆଲୋଚନା ହୋଇଥିଲା। ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଟଣା ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା ସୁରକ୍ଷା କମିଟି ଆବାହକ ବିଜୟ ରତ୍ନ ପତି, ଲକ୍ଷ୍ମଣ ଦାଶ, ଦୁର୍ଗା ଚରଣ ନାୟକ, ଶିବ ନାରାୟଣ ମିଶ୍ର, କାମାଲ ଆନସାରି, ହେମନ୍ତ ପଣ୍ଡା, ପ୍ରତାପ ବେହେରା, ହରିହର ଦାଶଙ୍କ ସହିତ ବଣିକ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପାଟଣା ସୁରକ୍ଷା କିମିଟି ଆବାହକ ତଥା ପାଟଣା ସାମ୍ବାଦିକ ସଂଘର ସଂପାଦକ ବିଜୟ ରତ୍ନ ପତିଙ୍କ ପକ୍ଷରୁ ପାଟଣା ବଜାର ଛକମାନଙ୍କରେ ଜିଲା ଖଣିଜ ପାଣ୍ଠିରୁ ସିସି କ୍ୟାମେରା ଲଗାଯିବା ସମ୍ବନ୍ଧରେ ବିଧାୟକଙ୍କ ନିକଟରେ ଦାବି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ରାତ୍ରିକାଳୀନ ପୋଲିସ ପଇଁତରା ବଢ଼ାଇବା ସହିତ ଅଜଣା ବ୍ୟକ୍ତିଙ୍କ ସମ୍ବନ୍ଧରେ ତୁରନ୍ତ ସୂଚନା ଦେବା ପାଇଁ ଥାନା ଅଧିକାରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ସମସ୍ତେ ସହଯୋଗ କଲେ ଏ ସମସ୍ୟା ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ଥାନାଧିକାରୀ ମତ ଦେଇଛନ୍ତି।

Comments are closed.