ପୋଲ ତଳେ ଭାସୁଛି ଅଜଣା ଶିଶୁ କନ୍ୟା ମୃତଦେହ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡ଼ାରୁ ଘଟଗାଁ ବ୍ଲକ ରେଙ୍ଗଳବେଡାକୁ ସଂଯୋଗ କରୁଥିବା କୁକୁରକଟା ପୋଲ ତଳେ ଏକ ଅଜଣା ଶିଶୁ କନ୍ୟାର ମୃତଦେହ ଭାସୁଥିବା ଶନିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରେ ନୂଆପଡ଼ା ଗ୍ରାମର କିଛି ପିଲା ପୋଲ ନିକଟରେ ଗାଧୁଆ ଥିବା ବେଳେ ପୋଲ ତଳେ ଏକ ବ୍ୟାଗ ଭାସୁଥିବା ଦେଖିବାକୁ ପାଇଥିଲେ। ବ୍ୟାଗରେ କଣ ଅଛି ଦେଖିବାକୁ ପିଲା ମାନଙ୍କ ଆଗ୍ରହ ବଢିବାରୁ ସେମାନେ ବ୍ୟାଗଟିକୁ ଖୋଲି ଦେଇଥିଲେ। ବ୍ୟାଗ ଭିତରେ ଏକ ଶିଶୁ କନ୍ୟାର ମୃତଦେହ ଦେଖି ପିଲାମାନେ ଡରି ଯାଇ ଘଟଣା ସ୍ଥଳରୁ ପଳାଇଯାଇଥିଲେ। ପିଲାମାନେ ଗାଁରେ ଜଣାଇବା ପରେ ଘଟଣା ପ୍ରଘଟ ହୋଇଛି। ତେବେ ଶିଶୁ କନ୍ୟାର ମୃତଦେହଟି କିଏ ଓ କେଉଁ ଉଦ୍ଦେଶ୍ୟରେ ନଦୀରେ ପିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଘଟଗାଁ ଥାନାଧିକାରିଣୀ ବନନ୍ଦା ପାତ୍ରକୁ ଯୋଗାଯୋଗ ସମ୍ଭବ ନ ହେବାରୁ ଘଟଣାର ପ୍ରକୃତ ରହସ୍ୟ ଜଣାପଡି ନାହିଁ ।

Comments are closed.