ୱାର୍ଡ ମେମ୍ବରଙ୍କ ପୁଅ କାଳିଆ ଯୋଜନା ଫର୍ମ ଗ୍ରହଣ କରୁଥିବା ଅଭିଯୋଗ

0

ପଟ୍ଟାମୁଣ୍ଡାଇ : ନିର୍ବାଚନ ସମୟରେ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ  ପ୍ରକୃତ ହିତାଧିକାରୀ ଏହାର ଲାଭ ପାଇ ପାରୁଛନ୍ତି କି ନାହିଁ  ତାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି। ଏବେ କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ  ଆବେଦନ  ପତ୍ର ଗ୍ରହଣ କରାଯାଉଛି।

ସୂଚନା ଅନୁସାରେ ତରଡିପାଳ ଭିଏଲଡବ୍ଲ୍ୟୁ ପ୍ରଶାନ୍ତ ନାୟକଙ୍କ କାର୍ଯ୍ୟାଳୟରେ,  ତାଙ୍କ ବଦଳରେ ପଞ୍ଚାୟତର ଜଣେ ୱାର୍ଡ ମେମ୍ବରଙ୍କ ପୁଅ ପ୍ରତାପ ରାଉତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । କାଳିଆ ଫର୍ମ ପୂରଣ ପରେ ଏହାକୁ ଦାଖଲ କରିବା ପାଇଁ  ଗ୍ରାମବାସୀମାନେ ସକାଳୁ ଅପେକ୍ଷା କରିଥିଲେ । ମାତ୍ର ଭିଏଲଡବଲ୍ୟୁ ଫର୍ମ ଗ୍ରହଣ କରିବା ବଦଳରେ ବହୁ ସମୟଧରି ଖାଇବାକୁ ଯାଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କ ବଦଳରେ ୱାର୍ଡ ମେମ୍ବରଙ୍କ ପୁଅ ପ୍ରତାପ ଫର୍ମ ଗ୍ରହଣ କରୁଥିବା ସଫେଇ ଦେଇଛନ୍ତି । ମନୋଜ କୁମାର ମଲ୍ଲିକ ନାମକ ହିତାଧିକାରୀ ନିଜ ମୋବାଇଲରେ ଏହାର  ଭିଡିଓ ଉତ୍ତୋଳନ କରିବା ସହ ଏ ବିଷୟରେ  ପ୍ରତାପଙ୍କୁ ପ୍ରଶ୍ନ  କରିଥିଲେ ।  ପ୍ରତାପ ଏ ବିଷୟରେ କୌଣସି ଉତ୍ତର ନ ଦେଇ ଚୁପ୍‌ ରହିଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୧୧୫  ଜଣ ହିତାଧିକାରୀ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରୁ ବଞ୍ଚିତ ରହିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଗୁରୁତ୍ୱପୁର୍ଣ୍ଣ ଯୋଜନାରେ  ଭିଏଲଡବ୍ଲ୍ୟୁ ଦାୟୀତ୍ୱହୀନ ଭାବେ କିଭଳି ୱାର୍ଡମେମ୍ବର ପୁଅଙ୍କ  ଦ୍ୱାରା ଫର୍ମ ଗ୍ରହଣ କରୁଛନ୍ତି  ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ  ଗ୍ରାମବାସୀ ଭିଏଲଡବ୍ଲ୍ୟୁଙ୍କର ଏପରି କାମକୁ ବିରୋଧ କରିଛନ୍ତି।  ଅସନ୍ତୁଷ୍ଟ ଗ୍ରାମବାସୀ ଗୁରୁବାର ଜିଲାପାଳକୁ ଭେଟିବେ ବୋଲି  ସୂଚନା ଦେଇଛନ୍ତି।

Leave A Reply