ପଟ୍ଟାମୁଣ୍ଡାଇରେ ଅତ୍ୟାଧୁନିକ ପାଣିପାଇପ ପରୀକ୍ଷାଗାର ଉଦ୍‍ଘାଟିତ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଚାହାପଡାଠାରେ ଓଡିଶାର ଏକମାତ୍ର ସରକାରୀ ପାଣିପାଇପ ତାଲିମ ପ୍ରତିଷ୍ଠାନ ପଟ୍ଟାମୁଣ୍ଡାଇ ଆଇପିଟିରେ ଅତ୍ୟାଧୁନିକ ପାଣିପାଇପ ପରୀକ୍ଷାଗାରକୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ ଶନିବାର ଉଦ୍‍ଘାଟନ କରିଛନ୍ତି।
ଆଇପିଏସସି ଓ ସ୍କିଲ ଇଣ୍ଡିଆ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଣ୍ଡେ କହିଲେ, ମହାପ୍ରଭୁ ଜଗନ୍ନାଥଙ୍କର ସମଗ୍ର ବିଶ୍ୱରେ ପ୍ରସିଦ୍ଧି ରହିଥିବାବେଳେ ପାଣିପାଇପ କାରିଗରୀ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶେଷ ସୁନାମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ଯୁବକଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବିକାଶ ମନ୍ତ୍ରାଳୟ ମାଧ୍ୟମରେ ସ୍କିଲ ଇଣ୍ଡିଆର ସ୍ୱପ୍ନ ସାକାର କରିଛନ୍ତି। ପଟ୍ଟାମୁଣ୍ଡାଇ ଆଇପିଟିରେ ଉଦ୍‍ଘାଟିତ ହୋଇଥିବା ଅତ୍ୟାଧୁନିକ ପାଣିପାଇପ ପରୀକ୍ଷାଗାର ଏ ଅଞ୍ଚଳର ଯୁବକଙ୍କୁ କୁଶଳୀ କରି ଗଢିତୋଳିବାରେ ସହାୟକ ହେବା ସହିତ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ମାଟିର ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ବୋଲି କହିଥିଲେ।
ଉତ୍ସବରେ କେନ୍ଦ୍ର ପଶୁସମ୍ପଦ ଓ କ୍ଷୁଦ୍ରଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଅତୀତରେ ଥିବା କାରିଗରୀ କୌଶଳକୁ ବିକଶିତ କରି ଭାରତକୁ ପୃଥିବୀର କୌଶଳ ବିକାଶର ହବ୍‍ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି ବୋଲି ମତପ୍ରକାଶ କରିଛନ୍ତି। ଏହି ଉତ୍ସବରେ ଆଇପିଏସସି ଓ ସ୍କିଲ ଇଣ୍ଡିଆର ଅଧ୍ୟକ୍ଷ ଡ. ଆର.କେ ସୋମାନି, ଡିଏସ ସଚିଦେବ, ସିଏସ ଗୁପ୍ତା, ରାଜ୍ୟ ପ୍ରଯୁକ୍ତିବିଦ୍ୟା ଓ ତାଲିମ ନିର୍ଦେଶକ ରେଘୁଜୀ, ରାଜ୍ୟ ଦକ୍ଷତା ବିକାଶ ନିର୍ଦେଶିକା ରଶ୍ମିତା ପଣ୍ଡା, ପିକେ ଚଢା, ଗୌରବ କାପୁର, ସଞ୍ଜିବ ଅଗ୍ରୱାଲ, ଆଇପିଏସସି ନିର୍ଦେଶକ ରବି ପ୍ରଧାନ, ଅନ୍ୟତମ ନିର୍ଦେଶକ ଅଶୋକ ପ୍ରଧାନ, ଏନକେ ଗୁପ୍ତା, ନିଖିଲ ଗଜରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଟ୍ଟାମୁଣ୍ଡାଇ ଆଇପିଟି ଅଧ୍ୟକ୍ଷ ନିହାର ରଞ୍ଜନ ପଟ୍ଟନାୟକ ସ୍ୱାଗତଭାଷଣ ଦେଇ ଏହି ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ରାଜ୍ୟ ବିଜେପି ଉପସଭାପତି ଭୁବନମୋହନ ଜେନା, ଶିକ୍ଷାବିତ ଇଂ. ବିଭୂତି ଭୂଷଣ ପାତ୍ର, ବରିଷ୍ଠ ବିଜେପି ନେତା ବିଷ୍ଣୁଚରଣ ଦାସ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜସୁନ୍ଦର ଭୂୟାଁ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମାସିକ ପତ୍ରିକା ଉନ୍ମୋଚିତ ହୋଇଥିଲା। ମୁଖ୍ୟଅତିଥି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ. ପାଣ୍ଡେ କୁଶଳୀ କାରିଗର ଭାବରେ ବିଶ୍ୱରଞ୍ଜନ ସାମନ୍ତସିଂହାର, ଜୟନ୍ତ ମୁଳିଆ, ବ୍ରଜବନ୍ଧୁ ସାହୁ, ନୀତିନ କୁମାର ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥଲେ। ୨୦୧୮ ସ୍କିଲ ଇଣ୍ଡିଆ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଅଖିଳ କୁମାର ସେନାପତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ଏନ.କେ ଗୁପ୍ତା ଧନ୍ୟବାଦ ଦେଇଥିଲେ।

Comments are closed.