ଧର୍ମ ଆଧାରରେ ନାଗରିକତା ପ୍ରଦାନ ପାକିସ୍ତାନର ହିନ୍ଦୁତ୍ୱ ସଂସ୍କରଣ ଭଳି ହେବ – ଶଶୀ ଥରୁର

ନୂଆଦିଲ୍ଲୀ: ସଂସଦରେ ନାଗରିକତା ସଂଶୋଧନ ବିଧେୟକ ମଞ୍ଜୁରୀ ଲାଭ କଲେ ତାହା ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଉପରେ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ବିଚାରଧାରାର ବିଜୟ ଭଳି ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି। ସେ କହିଛନ୍ତି, ଯଦି ଭାରତ ଧର୍ମକୁ ଆଧାର କରି ନାଗରିକତ୍ଵ ପ୍ରଦାନ କରିବ ତା ହେଲେ ଏହା ପାକିସ୍ତାନର ହିନ୍ଦୁତ୍ୱ ସଂସ୍କରଣ ଭଳି ହେବ। ସେ ଅଭିଯୋଗ କରି କହିଛନ୍ତି, ବିଜେପି ସରକାର ନାଗରିକତା ସଂଶୋଧନ ବିଧେୟକ ମାଧ୍ୟମରେ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି ଏବଂ ଅନ୍ୟ ଧର୍ମ ତୁଳନାରେ ସେହି ସମ୍ପ୍ରଦାୟକୁ ଅସହାୟ ଅବସ୍ଥାରେ ଛାଡି ଦେଉଛି।

ଥରୁର ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଏହି ବିଲ ସଂସଦର ଉଭୟ ସଦନରେ ମଞ୍ଜୁରୀ ଲାଭ କରେ ତେବେ ତାଙ୍କର ବିଶ୍ୱାସ ଯେ ସୁପ୍ରିମକୋର୍ଟଙ୍କ କୌଣସି ନ କୌଣସି ଖଣ୍ଡପୀଠ ଏହାକୁ ସଫଳ ହେବାକୁ ଦେବେ ନାହିଁ। ଯେଉଁ ସରକାର ଗତ ୩ ବର୍ଷ ହେବ ରାଷ୍ଟ୍ରୀୟ ଶରଣାର୍ଥୀ ନୀତି ଉପରେ ଆଲୋଚନା କରିବା ପାଇଁ ପଛ ଘୁଞ୍ଚା ଦେଉଛି, ସେହି ସରକାର କିଭଳି ଏବେ ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବ୍ୟବସ୍ତା କରୁଛି ବୋଲି ଥରୁର ପ୍ରଶ୍ନ କରୁଛନ୍ତି।

Comments are closed.