ନୀଳଗିରିରେ ନିର୍ମାଣ ହେବ ରେଳ ଷ୍ଟେସନ, ଚାଲିବ ପାସେଞ୍ଜର ଟ୍ରେନ : ଟ୍ୱିଟ୍ କରି ଜଣାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଵ

ନୀଳଗିରି : ପ୍ରତାପ ନନାଙ୍କ ସାଙ୍ଗରେ ନୀଳଗିରିକୁ ପାସେଞ୍ଜର ଟ୍ରେନ ଅତିଶୀଘ୍ର ଚାଲୁ ହେବ ବୋଲି ଗୁରୁବାର ରାତି ୧୦ଟା ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି କହିଛନ୍ତି । ରାଜଶାସନ ସମୟରୁ ବାଲେଶ୍ବର ଜିଲା ଅଧୀନ ନୀଳଗିରିରେ ରେଳ ଧାରଣା ପଡ଼ିଥିଲେ ହେଁ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଏଠାକୁ ପାସେଞ୍ଜର ଟ୍ରେନ ଚାଲିବା ନୀଳଗିରିବାସୀଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଥିଲା। ଏ ବାବଦରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ସମୟରୁ ରେଳ ବିଭାଗ ଓ ମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରି ଚାଲିଥିଲେ । ଏନେଇ ମଧ୍ୟ ଦୁଇ ତିନି ଥର ସର୍ଭେ ହୋଇଥିଲା କିନ୍ତୁ ଅଶ୍ୱିନୀ ବୈଷ୍ଣଵ ରେଳମନ୍ତ୍ରୀ ହେବା ପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ନୀଳଗିରିବାସୀଙ୍କ ପାଇଁ ପାସେଞ୍ଜର ଟ୍ରେନର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ । ନୀଳଗିରିରୁ ପାସେଞ୍ଜର ଟ୍ରେନ ଚାଲିଲେ ଏଠାକାର ଗରିବ ଗୁରୁବା, ବିଦ୍ୟାର୍ଥୀ, ଚାଷୀ, ବ୍ୟବସାୟୀ ପ୍ରମୁଖ ଉପକୃତ ହେବା ସହ ଅଞ୍ଚଳର ବିକାଶ ହୋଇ ପାରିବ। ନୀଳଗିରିକୁ ନୂଆବର୍ଷ ଭେଟି ଭାବେ ଜାନୁୟାରୀ ୬ ତାରିଖରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳ ଯୋଗେ ବାଲେଶ୍ବରରୁ ନୀଳଗିରି ଆସି ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ଏକପ୍ରକାର ସ୍ଥିର ହୋଇଯାଇଛି। ଶିଳାନ୍ୟାସ ହେବାର ମାତ୍ର ୨/୩ ମାସ ମଧ୍ୟରେ ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବ ବୋଲି କୁହାଯାଉଛି । ରେଳମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ପ୍ରତାପ ନନାଙ୍କ ଋଣ ଖୁବଶୀଘ୍ର ସୁଝି ଦେବି । ଅନ୍ୟପକ୍ଷରେ ବାଲେଶ୍ବର ସାଂସଦ ଶ୍ରୀ ଷଡ଼ଙ୍ଗୀ ଏନେଇ ରେଳମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବାକୁ ଯାଉଥିବା ଯୋଗୁ ଅଞ୍ଚଳବାସୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସାଧୁବାଦ ଜଣାଇଛନ୍ତି । ସୂଚନା ଯେ, ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବା ଅବସରରେ ଏଠାରେ ନୂତନ ରେଳ ଷ୍ଟେସନ ଓ ଟିକେଟ କାଉଣ୍ଟର ମଧ୍ୟ ନିର୍ମାଣ ହେବା ନିମନ୍ତେ ରେଳମନ୍ତ୍ରୀ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇ ସାରିଛନ୍ତି।

Comments are closed.