ଓଲଟା ଦୌଡ଼ିଲା ଜନଶତାବ୍ଦୀ ଏକ୍ସପ୍ରେସ, ଆତଙ୍କିତ ହୋଇପଡ଼ିଲେ ଯାତ୍ରୀ: ଦେଖନ୍ତୁ ଭିଡିଓ

ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଉତ୍ତରାଖଣ୍ଡର ଟନକପୁରରେ ବୁଧବାର ପହଞ୍ଚିଥିବା ପୂର୍ଣ୍ଣାଗିରି ଜନଶତାବ୍ଦୀ ଏକ୍ସପ୍ରେସ ହଠାତ୍‌ ଓଲଟା ଦୌଡ଼ିବାକୁ ଲାଗିଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ପରେ ରେଲୱେ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ଚିନ୍ତାରେ ପଡ଼ିଯାଇଥିଲା। ତୁରନ୍ତ ସତର୍କତା ଜାରି କରିବା ସହିତ ଟନକପୁରରୁ ଖଟିମା ପର୍ଯ୍ୟନ୍ତ ଫାଟକ ବନ୍ଦ କରିଦିଆଯାଇଥିଲା। ପ୍ରାୟ ୨୪ କିଲୋମିଟର ପର୍ଯ୍ୟନ୍ତ ପଛୁଆ ଦୌଡ଼ିବା ପରେ ଟ୍ରେନଟିକୁ ଖଟିମା ପୂର୍ବରୁ ଲାଲକୋଠି ନିକଟରେ କୌଣସି ପ୍ରକାରେ ଅଟକାଯାଇଥିଲା। ତେବେ ଏହି ୨୪ କିଲୋମିଟର ଯାତ୍ରା ସମୟରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ଏବଂ ସେମାନଙ୍କୁ ସଡ଼କ ମାର୍ଗରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଲାଗି ଜେଏ ଗ୍ରେଡ୍‌ର ୩ ଜଣିଆ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ତେବେ କୁହାଯାଉଛି ଯେ, ଟନକପୁର ଷ୍ଟେଶନରୁ ୧ କିଲୋମିଟୂ ପୂର୍ବରୁ ହୋମ୍‌ ସିଗ୍‌ନାଲ ନିକଟରେ ଏକ ଗାଈ ସହିତ ଟ୍ରେନଟି ଧକ୍କା ହେବା ପରେ ଅଟକି ଯାଇଥିଲା ଏବଂ ଅଚାନକ ପଛୁଆ ଦୌଡ଼ିବାକୁ ଲାଗିଥିଲା।

କୌଣସି ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ଚକରପୁର-ଖଟିମା ମଧ୍ୟରେ ୩୫ ସି ଗେଟ୍‌ ନିକଟ ଲାଇନରେ ମାଟି ଏବଂ ବଜୁରୀ ପକାଇ ଟ୍ରେନକୁ ଅଟକାଯାଇଥିଲା। ଇଜ୍ଜତନଗର ମଣ୍ଡଳ ପିଆରଓ ରାଜେନ୍ଦ୍ର ସିଂହ କହିଛନ୍ତି ଯେ, ରେଲୱେ ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଯାଞ୍ଚରୁ ଯେଉଁ ଅଧିକାରୀ ଏବଂ କର୍ମଚାରୀ ଦୋଷୀ ବୋଲି ଜଣାପଡ଼ିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.