ପାର୍ଥିବଙ୍କୁ ମୁଥ ମାରିବାକୁ ଚାହିଁଥିଲେ ହେଡେନ୍‍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ମାଥ୍ୟୁ ହେଡେନ୍‍ ଓ ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ୱିକେଟ ରକ୍ଷକ ପାର୍ଥିବ ପଟେଲ ଏବେ ବନ୍ଧୁ ପାଲଟି ଯାଇଛନ୍ତି। ତେବେ ଏପରି ଏକ ସମୟ ଥିଲା ଯେ ପାର୍ଥିବଙ୍କ ମୁହଁରେ ମୁଥ ମାରିବାକୁ ଚାହିଁଥିଲେ ହେଡେନ୍‍। ବହୁତ ବର୍ଷ ତଳର ଉକ୍ତ ଘଟଣାକୁ ଏବେ ମନେ ପକାଇଛନ୍ତି ଗୁଜରାଟର ପାର୍ଥିବ ପଟେଲ।

୨୦୦୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଏକ ଦିନିକିଆ ସିରିଜ୍‍ରେ ଏହା ଘଟିଥିଲା। ପାର୍ଥିବ ପଟେଲ କହନ୍ତି, ବ୍ରିସ୍‍ବେନ୍‍ରେ ଉକ୍ତ ମ୍ୟାଚ୍‍ ଖେଳା ଯାଉଥିଲା। ଭାରତ ବିପକ୍ଷ ଉକ୍ତ ଦିନିକିଆ ମ୍ୟାଚ୍‍ରେ ମୋତେ ଖେଳିବାର ସୁଯୋଗ ମିଳିନଥିଲା। ଏହି ମ୍ୟାଚ୍‍ରେ ଅଷ୍ଟ୍ରେଲିଆର ବାମହାତି ଓପ୍‍ନର ମାଥ୍ୟୁ ହେଡେନ୍‍ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ଦର୍ଶନୀୟ ଶତକ ହାସଲ କରିଥିଲେ। ପରେ ଇର୍ଫାନ୍‍ ପଠାନ୍‍ଙ୍କ ବଲ୍‍ରେ ହେଡେନ୍‍ ଆଉଟ ହୋଇଥିଲେ। ଏହି ୱିକେଟ ପଡ଼ିବା କ୍ଷଣି ସାଥୀ ଖେଳାଳିଙ୍କ ପାଇଁ ପାନୀୟ ଧରି ମୁଁ ପଡ଼ିଆକୁ ଯାଇଥିଲି। ଆଉଟ ହୋଇ ପାଭିଲିଅନ୍‍କୁ ଫେରୁଥିବା ମାଥ୍ୟୁ ହେଡେନ୍‍ ମୋ ପାଖାପାଖି ହେବା ମାତ୍ରେ ତାଙ୍କ ଆଡ଼କୁ ଚାହିଁ ‘ହୁ ହୁ’ ବୋଲି କହିଥିଲି। ହେଡେନ୍‍ଙ୍କୁ ଏହା ବହୁ ବାଧିଥିଲା। ସେ ମୋ ଉପରେ ବହୁତ ରାଗି ଯାଇଥିଲେ। ପଡ଼ିଆରେ ସେ ମୋତେ ବହୁତ ଗାଳି ଦେଇଥିଲେ ଏବଂ ମୁଁ ଚୁପ୍‍ ରହିଥିଲି। ମୁଁ ଫେରିବା ବେଳକୁ ହେଡେନ୍‍ ବ୍ରିସ୍‍ବେନ୍‍ର ଡ୍ରେସିଂରୁମ୍‍ ବାହାରେ ଛିଡ଼ା ହୋଇଥିଲେ। ଉକ୍ତ ଡ୍ରେସିଂରୁମ୍‍ ଏକ ଟନେଲ ପରି ଥିଲା। ମୋତେ ଦେଖିବା ମାତ୍ରେ ହେଡେନ୍‍ କହିଥିଲେ- ତୁମେ ଯଦି ଏପରି ଆଉ ଥରେ କରିବ; ତୁମ ମୁହଁକୁ ଏକ ମୁଥ ମାରିବି। ମୁଁ ଚକିତ ହୋଇ ଯାଇଥିଲି ଏବଂ ହେଡେନ୍‍ଙ୍କୁ ‘ସରି’ ବୋଲି କହିଥିଲି।

Comments are closed.