ବିଶିଷ୍ଟ ସମାଜସେବୀ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ପରଲୋକ

ଗରିବ ଓ ଅନାଥ ପିଲାଙ୍କ ପାଇଁ ସମର୍ପିତ ଥିଲା ଜୀବନ

ରାଉରକେଲା,: ସେ ଥିଲେ ଜଣେ ନିଆରା ମଣିଷ। ତାଙ୍କ ବେଶ ପୋଷାକ ଥିଲା ତାଙ୍କର ପରିଚୟ। ଦୁଥ ଖଣ୍ଡ ଧୋତି, ମୁକୁଳା ଦେହ, ଖାଲିପାଦ, କପାଳରେ ଚନ୍ଦନ ତାଙ୍କର ଜୀବନକୁ ଅସାମାନ୍ୟ ପରିଚୟରେ ମଣ୍ଡିତ କରିଥିଲା।  ଅଧ୍ୟାପନାଠାରୁ ଆରମ୍ଭ କରି ସମାଜସେବା ପାଇଁ ଅହରହ ଥିଲା ତାଙ୍କର ଜୀବନ ଯାତ୍ରା। ଶିକ୍ଷା, ସଂସ୍କୃତି, ଧର୍ମ, ସେବା ଓ ସଙ୍ଗଠନକୁ ଏକତ୍ର କରି ସଫଳ ଜୀବନଟିଏ ବଞ୍ଚିଥିବା ଏହି ଅନୁଭବୀ ଓ ବିନମ୍ର ମଣିଷ ପ୍ରଫେସର ଡକ୍ଟର ପର୍ଶୁରାମ ପଣ୍ଡା ଆଉ ନାହାଁନ୍ତି। କରୋନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ତାଙ୍କର ବିୟୋଗ ଘଟିଛି। ବେଦବ୍ୟାସରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଗୋବିନ୍ଦ ମୁଖାଗ୍ନି ଦେଇଥିଲେ।

ବାଲେଶ୍ୱର ଜିଲାର ବସ୍ତାରେ ୧୯୪୯ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ପର୍ଶୁରାମ ପଣ୍ଡା ପିଲାଟି ଦିନରୁ ବାପା ମାଆ, ଜେଜେବାପା ଜେଜେମାଆକୁ ହରାଇଥିଲେ। ଜେଜେ ବାପା ଜମିଦାର ଥିବା ବେଳେ ଗରିବଙ୍କୁ ଜମି ବାଡ଼ି ସବୁ ଦାନ କରିଦେଇଥିଲେ। ସମସ୍ତେ ଚାଲିଗଲା ପରେ ଆଈଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ସଂଘର୍ଷ ଭିତରେ କ୍ୟାରିୟର ଗଢିଥିଲେ। ଅନାଥ ପିଲାର ଦୁଃଖକୁ ହୃଦୟଙ୍ଗମ କରୁଥିବାରୁ ଜୀବନରେ ଅନାଥ ଓ ଗରିବ ପିଲାଙ୍କ ପାଇଁ କାମ କରିବାର ସଂକଳ୍ପ ନେଇଥିଲେ। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ସ୍ନାତକରେ ଉତୀର୍ଣ୍ଣ ହୋଇଥିଲେ। ରେଭେନ୍ସାରେ ଇଂରାଜୀରେ ସ୍ନାତକୋତର କରୁଥିବା ବେଳେ ବାୟା ବାବାଙ୍କ ସଂଷ୍ପର୍ଶରେ ଆସିବା ସହିତ ତାଙ୍କର ଦୀକ୍ଷା ନେଇଥିଲେ। ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟରରୁ ଇଂରାଜୀ ଅଧ୍ୟାପକ ଭାବେ ୧୯୭୫ରେ ଅଧ୍ୟାପନା ବୃତି ଆରମ୍ଭ କରିଥିଲେ। ବାଙ୍କି, ସୋର, ଦେବଗଡ଼, ଝାରୁସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ହୀରାକୁଦ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଓ ପରେ ଲଡୁଣୀପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସରଗ୍ରହଣ କରିଥିଲେ। ଅଧ୍ୟାପନା ଜୀବନ ଆରମ୍ଭ କରିବା ସହିତ ଜୀବନର ଆଦର୍ଶ ଓ ଦୃଷ୍ଟିଭଙ୍ଗୀକୁ ବାସ୍ତବ ରୂପ ଦେବା ପାଇଁ ସେ ବାସୁଦେପୁରରେ ପ୍ରଥମେ କଳ୍ପତରୁ ଆଶ୍ରମ ପ୍ରତିଷ୍ଠା କଲେ। ଅନୁରୂପ ଭାବେ ରାଉରକେଲା, ହୀରାକୁଦ, ରାଜଗାଙ୍ଗପୁର, ଚୌଦ୍ୱାର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଆଦି ସ୍ଥାନରେ ପ୍ରତିଷ୍ଠା କରିଥିଲେ କଳ୍ପତରୁ ଆଶ୍ରମ। ଗରିବ ଓ ଅନାଥ ପିଲାଙ୍କୁ ଏହି ଆଶ୍ରମରେ ରଖି ସେମାନଙ୍କ ପାଠପଢା ସହିତ ସମସ୍ତ ଖର୍ଚ୍ଚ ବହନ କଲେ। ନିଜ ଦରମାକୁ ଏଥିରେ ନିୟୋଜିତ କଲେ।। ବାୟା ବାବାଙ୍କ ବାଣୀ ‘ଭଲ ମଣିଷ ତିଆରି କର’କୁ ଅନୁସରଣ କରି ଆରମ୍ଭ କରିଥିଲେ ସମାଜସେବା। ଶିକ୍ଷା ଓ ପରେପକାର ଥିଲା ତାଙ୍କର ନିଶା। ଗରିବ ଶିଶୁ ଓ ଯୁବକଙ୍କ ପାଇଁ ସେ ସହାୟ ଓ ଅବଲମ୍ବନ ପାଲଟିଥିଲେ। ନିଜ ଗୁରୁ ବାୟାବାବାଙ୍କ ପ୍ରେରଣାରେ ଚାଲୁଥିବା ଅଖଣ୍ଡ ନାମ ସଂକୀର୍ତନର ପ୍ରଚାରରେ ସେ ଥିଲେ ଅଗ୍ରଗଣ୍ୟ। ବିଭିନ୍ନ ଆଶ୍ରମର ଦାୟିତ୍ୱ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ହସ୍ତାନ୍ତର କରିଥିବା ବେଳେ ରାଉରକେଲା କଳ୍ପତରୁ ଆଶ୍ରମ ତାଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ପରିଚାଳିତ ହେଉଥିଲା। ପରିବାର ନୁହେଁ ବରଂ ଆଶ୍ରମ ହିଁ ଥିଲା ତାଙ୍କ ପାଇଁ ସବୁ କିଛି। କିନ୍ତୁ ପରିବାର ତାଙ୍କର ଏହି ସେବା କାର୍ଯ୍ୟରେ ସମସ୍ତ ସହଯୋଗ କରିଥିଲେ। ତାଙ୍କର ଧର୍ମପତ୍ନୀ ତଥା ଶିକ୍ଷାବିତ୍ ଡକ୍ଟର ସରୋଜିନୀ ପତି ମଧ୍ୟ ଏହି ସେବାରେ ତାଙ୍କର ପ୍ରକୃତ ସହଯୋଗୀ ଥିଲେ। ନିଜର ଦରମା ପଇସାକୁ ପିଲାଙ୍କ ପାଇଁ ନିୟୋଜିତ କରିବା ସହିତ ସାଧାରଣ ଜୀବନଯାତ୍ରାକୁ ଆପଣେଇବ ସ୍ୱାମୀଙ୍କ ଏହି ଯାତ୍ରାରେ ସବୁବେଳେ ପ୍ରକୃତ ଅର୍ଦ୍ଧାଙ୍ଗିନୀର ଭୂମିକା ଗ୍ରହଣ କରି ଆସିଛନ୍ତି। ଅଧ୍ୟାପିକା ଭାବେ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟକରି ସୁନ୍ଦରଗଡ଼ର ଡିଆଇଟିର ଅଧ୍ୟକ୍ଷା ଭାବେ ସେ ଅବସର ଗ୍ରହଣ କରିଛନ୍ତି। ବାୟା ବାବା ନାମକରଣ ଦେଇଥିବା ପୁଅ ଗୋବିନ୍ଦ ଓ ଝିଅ ରାଧା ମଧ୍ୟ ପିତାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବାକୁ ଜୀବନର ବ୍ରତ ଭାବେ ଧରି ନେଇଛନ୍ତି। ଅନେକ ଛାତ୍ର ଓ ଯୁବ ବର୍ଗଙ୍କ ପାଇଁ ପର୍ଶୁରାମ ପଣ୍ଡା ମାର୍ଗଦର୍ଶକ ଥିଲେ। ସେମାନଙ୍କୁ ମଣିଷକରିବା ପାଇଁ ଆଜୀବନସେ ସମର୍ପିତ ଥିଲୋ। ସରଳ, ଅମାୟିକ, ସେବା ପରାୟଣ ଏହି ମଣିଷଟିଏ ଏକ ତୀର୍ଥରେ ପରିଣତ ହୋଇ ଯାଇଥିଲେ। ପ୍ରାକ୍ତନ ଛାତ୍ରମାନେ ଏବେ ତାଙ୍କୁ ଝୁରି ହେଉଛନ୍ତି। ତାଙ୍କ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରଶାସକଙ୍କ ଠାରୁ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଓ ସଙ୍ଗଠନର ସମ୍ପୃକ୍ତି ରହିଥିଲା। ଜଣେ ବିରଳ ମଣିଷ ଓ ବିଲକ୍ଷଣ ପ୍ରତିଭାର ବ୍ୟକ୍ତତ୍ୱଙ୍କ ବିୟୋଗରେ ରାଉରକେଲା ତଥା ଓଡ଼ିଶାର କୋଣ ଅନୁକୋଣରୁ ଶୋକର ବାର୍ତା ଓ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।

Comments are closed.