ସଂସଦ ଭବନର ହେବ ଆଧୁନିକୀକରଣ – ହଜାର ସାଂସଦଙ୍କ ପାଇଁ ରହିବ ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୂପରେଖ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଆଉ କିଛି ବର୍ଷ ମଧ୍ୟରେ ସଂସଦ ଭବନ ଆଧୁନିକୀକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସଂସଦ ଭବନ ନିର୍ମାଣରେ ନୂତନ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳର ବ୍ୟବହାର ସହ ସାଇବର ଆକ୍ରମଣ ନିରୋଧୀ ବ୍ୟବସ୍ତା ମଧ୍ୟ ବ୍ୟବହାର କରାଯିବ। ନୂଆ ସଂସଦ ଭବନ ଭୂମିକମ୍ପ ନିରୋଧୀ ଏବଂ ଅଗ୍ନିନିରୋଧକ ହେବ। ପ୍ରସ୍ତାବିତ ସଂସଦ ଭବନ ଆସନ୍ତା ୨୫୦ ବର୍ଷକୁ ଦୃଷ୍ଟିରେ ରଖି ନିର୍ମାଣ କରାଯିବ। ସଂସଦର ଢାଞ୍ଚା କିଭଳି ହେବ, କିଭଳି କାର୍ଯ୍ୟାନ୍ୱୟନ ହେବ ଏବଂ ଶୀଘ୍ର ଶେଷ ହୋଇ ପାରିବ, ସେ ନେଇ କନ୍ସଲଟାଣ୍ଟ କମ୍ପାନୀ ଚୟନ କରାଯାଇଛି।

ଏହି ନିର୍ମାଣ ପାଇଁ ଢାଞ୍ଚାଗତ ସହାୟତା ଓ ନିର୍ମାଣ ଶୈଳୀ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୨୪ଟି କମ୍ପାନୀ ଭାଗ ନେଇଥିଲେ ଯେଉଁଥିରୁ ୬ଟି କମ୍ପାନୀକୁ ଚୟନ କରାଯାଇଥିବା ଜଣାପଡିଛି। କେନ୍ଦ୍ର ସହରୀ ବିକାଶ ମନ୍ତ୍ରୀ ହାରଦୀପ ସିଂହ ପୁରୀ କହିଛନ୍ତି, ସଂସଦର ବାହ୍ୟ ପରିପାଟୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ଓ ଏହି କାର୍ଯ୍ୟ ପାଇଁ ଏକ ବିଶ୍ୱ ସ୍ଥରୀୟ କମ୍ପାନୀକୁ ଦାୟିତ୍ୱ ଦିଆଯିବ। ଏହି କାର୍ଯ୍ୟରେ ପ୍ରାଥମିକ ଭାବେ ୧୨୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରାଯିବ। ୨୦୨୦ ମେ ମାସ ସୁଦ୍ଧା କମ୍ପାନୀଗୁଡିକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି। ଗୁଜୁରାଟ ସ୍ଥିତ ଏଚସିପି କମ୍ପାନୀ ଏଥିପାଇଁ ଡିଜାଇନ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଇଣ୍ଡିଆ ଗେଟ ଏବଂ ରାଷ୍ଟ୍ରପତି ଭବନ ମଧ୍ୟସ୍ଥଳୀ କାର୍ଯ୍ୟ ୨୦୧୧ ନଭେମ୍ବର, ନୂଆ ସଂସଦ ଭବନ ୨୦୨୨ ମାର୍ଚ୍ଚ ଏବଂ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ କାର୍ଯ୍ୟ ୨୦୧୪ ମାର୍ଚ୍ଚ ସୁଦ୍ଧା ସମ୍ପନ୍ନ ହେବ ବୋଲି କେନ୍ଦ୍ର ସହରୀ ବିକାଶ ମନ୍ତ୍ରୀ ହାରଦୀପ ସିଂହ ପୁରୀ କହିଛନ୍ତି।

Comments are closed.