ଜନ ପ୍ରତିନିଧିତ୍ୱରେ ସଂରକ୍ଷଣ – ୧୦ ବର୍ଷ ବଢ଼ିଲା ଅବଧି

ନୂଆଦିଲ୍ଲୀ: ସମ୍ବିଧାନର ୧୨୬ତମ ସଂଶୋଧନ ବିଲ୍‍ ୨୦୧୯ ରାଜ୍ୟସଭାର ଅନୁମୋଦନ ଲାଭ କରିବା ସହ ଏହା ସଂସଦର ମଞ୍ଜୁରୀ ଲାଭ କରିଛି। ରାଜ୍ୟସଭାରେ ଏହା ସର୍ବସମ୍ମତି କ୍ରମେ ପାସ୍‍ ହୋଇଥିଲା। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଆଉ ୧୦ବର୍ଷ ଅର୍ଥାତ୍‍ ୨୦୩୦ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ବିଲରେ ବ୍ୟବସ୍ଥା ରହିଛି।

ଆଲୋଚନାରେ ଅଂଶଗ୍ରହଣ କରି ଆଇନ୍‍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଅନୁସୂଚୀତ ଜାତି-ଉପଜାତି ସଂରକ୍ଷଣରେ ସରକାର ସ୍ୱଚ୍ଛଳ ବର୍ଗ ପ୍ରସଙ୍ଗ ଉଠାଇବାକୁ ଚାହୁଁନାହାନ୍ତି। ସେ କହିଛନ୍ତି, ଅନୁସୂଚୀତ ଜାତି ଓ ଉପଜାତି ବର୍ଗର କଲ୍ୟାଣ ପାଇଁ ଏନ୍‍.ଡି.ଏ. ସକରାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟମାନଙ୍କର ଶିକ୍ଷା ଓ ସଶସ୍ତ୍ର ବାହିନୀରେ ଅବଦାନକୁ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ପୂର୍ବରୁ ବିଲ୍‍ ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ, ବ୍ୟବସ୍ଥାପକ ସଭାଗୁଡ଼ିକରେ ସଂରକ୍ଷଣ ଅନୁସୂଚୀତ ଜାତି ଓ ଉପଜାତି ବର୍ଗର ଲୋକମାନଙ୍କୁ କ୍ଷମତାପନ୍ନ କରିଛି ଓ ଏହି ବର୍ଗରୁ ବହୁ ପ୍ରଖ୍ୟାତ ନେତା ବିଭିନ୍ନ କ୍ଷେତ୍ରରେ ଦେଶର ସେବା କରିଛନ୍ତି। ଦଳ ନିର୍ବିଶେଷରେ ସମସ୍ତ ବିରୋଧୀ ଦଳ ବିଲ୍‍କୁ ସମର୍ଥନ କରିଥିଲେ କିନ୍ତୁ ପ୍ରବାସୀ ଭାରତୀୟମାନଙ୍କୁ ବିଲ୍‍ ପରିସରରୁ ବାଦ ଦିଆଯାଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଥିଲେ।

Comments are closed.