ଦିନକ ପୂର୍ବରୁ ସଂସଦ ମୁଲତବୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୨୩ (ଗୁରୁବାର) ଶେଷ ହେବାକୁ ଥିବାବେଳେ ଦିନକ ପୂର୍ବରୁ ଏହାକୁ ଅନିର୍ଦିଷ୍ଟ ସମୟ ପାଇଁ ମୁଲତବୀ ଘୋଷଣା କରାଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି। ସଂସଦର ଏହି ୨୪ଦିନିଆ ଅଧିବେଶନ ମଧ୍ୟରେ ୧୮ଟି କାର୍ଯ୍ୟଦିବସ ରହିଥିଲା। ଏହି ସମୟ ମଧ୍ୟରେ ୧୩ଟି ବିଧେୟକ ଆଗତ ହୋଇଥିଲା। ଏଥିରୁ ୧୧ଟି ବିଧେୟକ ଉଭୟ ଗୃହରେ ଗୃହୀତ ହୋଇଛି। ଏହି ସମୟ ମଧ୍ୟରେ ଲୋକସଭା ଏହାର ମୋଟ ସମୟର ୮୨% କାର୍ଯ୍ୟ କରିଥିବାବେଳେ ରାଜ୍ୟସଭା ୪୮% କାର୍ଯ୍ୟ କରିଛି। ଗୃହୀତ ବିଧେୟକ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ, ନିର୍ବାଚନ ଆଇନ (ସଂଶୋଧନ) ବିଧେୟକ ରହିଛି। ଲୋକସଭା ମୋଟ ୮୩.୨ ଘଣ୍ଟା କାର୍ଯ୍ୟ କରିଥିବାବେଳେ ଏଥିରୁ ୨୬.୫ ଘଣ୍ଟାରେ ବିଧେୟକ ଆଲୋଚନା ବାବଦରେ ଅତିବାହିତ ହୋଇଥିଲା। ସେହିପରି ରାଜ୍ୟସଭା ମୋଟ ୪୫.୪ଘଣ୍ଟା କାର୍ଯ୍ୟ କରିଥିବାବେଳେ ଏଥିରୁ ୨୧.୭ଘଣ୍ଟା ବିଭିନ୍ନ ବିଧେୟକ ଆଲୋଚନା ବାବଦରେ ଅତିବାହିତ ହୋଇଥିଲା। ବିଭିନ୍ନ ବିଧେୟକ ପ୍ରସଙ୍ଗରେ ଆଲୋଚନା କରିବାରେ ଉଭୟ ଗୃହରେ ୪୮ଘଣ୍ଟା ଅତିବାହିତ ହୋଇଥିଲା। ଏହି ୪୮ଘଣ୍ଟାର ଆଲୋଚନାରେ ୧୧ଟି ବିଧେୟକ ଗୃହୀତ ହୋଇଥିଲା। କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ଲୋକସଭାରେ ମାତ୍ର ୨ମିନିଟ୍ ଆଲୋଚନା ହୋଇଥିବାବେଳେ ରାଜ୍ୟସଭାରେ ୮ମିନିଟ୍ ଆଲୋଚନା ହୋଇଥିଲା। ବୁଧବାର ରାଜ୍ୟସଭାରେ ମନ୍ତ୍ରୀ ଜୋଷୀ କହିଛନ୍ତି ଯେ କରୋନାର ଓମିକ୍ରନ ପ୍ରଜାତିକୁ ନେଇ ଦେଖାଯାଇଥିବା ଆଶଙ୍କା ପ୍ରସଙ୍ଗରେ ଗୃହରେ ଆଲୋଚନାବେଳେ ବିରୋଧୀ ସଦସ୍ୟମାନେ ଅନୁପସ୍ଥିତ ରହିଥିଲେ।

Comments are closed.