ମୌସୁମି ଅଧିବେଶନରେ ରହିବ ନାହିଁ ପ୍ରଶ୍ନୋତ୍ତର କାଳ

ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମି ଅଧିବେଶନ ସମୟରେ ପ୍ରଶ୍ନୋତ୍ତର କାଳ ରହିବ ନାହିଁ। ଏ ସମ୍ପର୍କରେ ବୁଧବାର ଲୋକସଭା ଓ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶ୍ନୋତ୍ତର କାଳ ସହିତ କୌଣସି ପ୍ରାଇଭେଟ ମେମ୍ବର ବିଲ ଆଗତ କରାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କରୋନା ମହାମାରୀ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ଏହାକୁ ବିରୋଧୀ ଦଳଗୁଡିକ ସମାଲୋଚନା କରିଛନ୍ତି। ମୌସୁମି ଅଧିବେଶନରୁ ପ୍ରଶ୍ନୋତ୍ତର କାଳ ବାଦ ଦେବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର୍‌। ଥରୁର୍‌ ଟୁଇଟ୍ କରିଛନ୍ତି ଯେ ସଂସଦୀୟ ଗଣତନ୍ତ୍ରରେ ପ୍ରଶ୍ନୋତ୍ତର କାଳ ହେଉଛି ଅମ୍ଳଜାନ। ଏହି ପ୍ରଶ୍ନୋତ୍ତର କାଳକୁ ବାଦ୍‌ ଦେଇ ସରକାର ସଂସଦକୁ ଏକ ନୋଟିସ ବୋର୍ଡରେ ସୀମିତ କରିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି ଯେ ସଂସଦ ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ଉତ୍ତରଦାୟୀ ହେବାକୁ ପଡିଥାଏ। ତ୍ରୁଣମୂଳ କଂଗ୍ରେସ ସଦସ୍ୟ ଡେରେକ ଓବ୍ରାଏନ୍ ମଧ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଶ୍ନୋତ୍ତର କାଳ ବାଦ୍‌ ଦେବା ଦ୍ବାରା ବିରୋଧୀ ସଦସ୍ୟମାନେ ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ହରାଇଛନ୍ତି। କରୋନା ନାମରେ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ୧୯୫୦ ପରଠାରୁ ଏହା ସଂସଦର ଏହା ପ୍ରଥମ ଘଟଣା ବୋଲି ଓବ୍ରାଏନ କହିଛନ୍ତି। ତେବେ ୧୯୬୧, ୧୯୭୫, ୧୯୭୬ ଓ ୧୮୭୭ରେ ସ୍ବତନ୍ତ୍ର ଉଦ୍ଦେଶ୍ୟ ନିମନ୍ତେ ସଂସଦର ଅଧିବେଶନ ଡକାଯାଇଥିବାବେଳେ ଏଥିରୁ ପ୍ରଶ୍ନୋତ୍ତର କାଳକୁ ବାଦ୍‌ ଦିଆଯାଇଥିଲା। ଆରଜେଡି ସାଂସଦ ମନୋଜ ଝା କହିଛନ୍ତି ଯେ କରୋନା ମହାମାରୀରେ ଅନେକ ଲୋକ ପ୍ରାଣ ହରାଇବା, ସଂକ୍ରମଣ ନିୟନ୍ତ୍ରଣରେ ବିଫଳତା ଓ ସରକାରଙ୍କ ଦୁର୍ବଳ ମହାମାରୀ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ସଂସଦର ପ୍ରଶ୍ନୋତ୍ତର କାଳକୁ ବାଦ୍‌ ଅତ୍ୟନ୍ତ ଦୁଃଖଦାୟକ। ସେହିପରି ଚୀନ ସୀମା ପରିସ୍ଥିତି ବାବଦରେ ବିରୋଧୀ ସରକାରଙ୍କ ଠାରୁ ଜବାବ ଲୋଡିବାକୁ ଥିବାବେଳେ ପ୍ରଶ୍ନୋତ୍ତର କାଳ ବାଦ୍‌ ଦେବା ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରିବା ସଦୃଶ ବୋଲି ଝା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ସଦସ୍ୟ ବିନୟ ବିଶ୍ବାମ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିକଟକୁ ପତ୍ର ଲେଖି ପ୍ରଶ୍ନୋତ୍ତର କାଳକୁ ବଜାୟ ରଖିବା ଲାଗି ନିବେଦନ କରିଛନ୍ତି। ଗତ ସପ୍ତାହରେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ଚିଠି ଲେଖି ପ୍ରଶ୍ନୋତ୍ତର କାଳ ଓ ଶୂନ୍ୟକାଳକୁ ହ୍ରାସ ନ କରିବା ଲାଗି ନିବେଦନ କରିଥିଲେ। ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସଂସଦର ମୌସୁମି ଅଧିବେଶନ ଚାଲିବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟ ସକାଳ ୯ଟାରୁ ଅପରାହ୍ଣ ୧ଟା ଓ ଅପରାହ୍ଣ ୩ଟାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ଯେଉଁମାନେ ଯୋଗଦେବେ ସେମାନେ ୭୨ଘଣ୍ଟା ମଧ୍ୟରେ କରୋନା ନମୁନା ପରୀକ୍ଷା କରି ନେଗେଟିଭ ରିପୋର୍ଟ ଦେବେ।

Comments are closed.