ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ; ୪୮ଟି ବିଲ୍‍ ଉପସ୍ଥାପନା ସମ୍ଭାବନା

0

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୪୬ଟି ବିଲ୍‍ ଓ ଦୁଇଟି ଅର୍ଥବିଲ୍‍ ସମେତ ୪୮ଟି ବିଲ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁସଲମାନ ମହିଳା ବିବାହ ସୁରକ୍ଷା ବିଲ୍‍ ବା ତିନି ତଲାକ ବିରୋଧୀ ବିଲ୍‍ ଓ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗକୁ ସାମ୍ବିଧାନିକ ମର୍ଯ୍ୟଦା ଦେବା ବିଲ୍‍ଗୁଡ଼ିକ ସରକାର ଅଗ୍ରାଧିକାର ଦେଇଛନ୍ତି।

ସଂସଦର ବଜେଟ୍‍ ଅଧିବେଶନ ପରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ମଧ୍ୟରେ କାର୍ଯ୍ୟକାରି ହୋଇଥିବା ଅଧ୍ୟାଦେଶଗୁଡ଼ିକ ବଦଳରେ ୬ଟି ବିଲ୍‍ ଉପସ୍ଥାପନ କରିବାକୁ ସରକାର ପ୍ରାଥମିକତା ଦେବେ ।  ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ, ଫୌଜଦାରୀ ଆଇନ୍‍ ସଂଶୋଧନ ଅଧ୍ୟାଦେଶ, ବ୍ୟବସାୟୀକ ଅଦାଲତ, ହାଇକୋର୍ଟଗୁଡ଼ିକରେ ବ୍ୟବସାୟୀକ ବିଭାଗ ଓ ବ୍ୟବସାୟୀକ ଆପାଲେଟ୍‍ ଡିଭିଜନ୍‍ ସଂଶୋଧନ ଅଧ୍ୟାଦେଶ, ହୋମିଓପାଥି କେନ୍ଦ୍ରୀୟ ପରିଷଦ ସଂଶୋଧନ ଅଧ୍ୟାଦେଶ, ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଏବଂ ଦେବାଳିଆ ଓ ଋଣ ଖିଲାଫ ଆଇନ୍‍ ସଂଶୋଧନ ଅଧ୍ୟାଦେଶ ଏହା ମଧ୍ୟରେ ରହିଛି।

ମୌସୁମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତନାଘନା ଆଲୋଚନା ହୋଇଛି। ବିରୋଧୀ ଦଳଗୁଡ଼ିକ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରିବେ ସେ ବିଷୟରେ ଅବଗତ କରାଇଥିଲେ ଏବଂ ଏହିସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସଂସଦର ଉଭୟ ଗୃହରେ କାର୍ଯ୍ୟଧାରା ସୂଚାରୁରୂପେ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ। ଉଭୟ  ଗୃହରେ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକରେ ଉଦ୍‍ବୋଧନ ଦେଲା ବେଳେ ଶ୍ରୀ ମୋଦି କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ଉତ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଜାତୀୟ ହିତ ସାଧନ ପାଇଁ ମୌସୁମୀ ଅଧିବେଶନରେ ଗଠନ ମୂଳକ ପରିବେଶ ଦିଗରେ ସାମୁହିକ ଭାବେ ସହଯୋଗ କରିବାକୁ ସେମାନଙ୍କୁ ଅନୁରୋଧ ଜଣାଇଛନ୍ତି।

ଲୋକସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ୪ ଜଣ ପ୍ରାର୍ଥୀ ଶପଥ ଗ୍ରହଣ କରିଛନ୍ତି। ସେହିପରି ଲୋକସଭାରେ ଦିବଂଗତ ସଦସ୍ୟ ବାହାଦୂର ସିଂ, ସନତ କୁମାର ମଣ୍ଡଳ ଏବଂ କାନ୍ଦ୍‍ଲା ସୁବ୍ରମଣ୍ୟମ୍‍ଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟସଭାରେ କେରଳରୁ ନିର୍ବାଚିତ ତିନିଜଣ ସଦସ୍ୟଙ୍କ ସହିତ ରାଜ୍ୟସଭାକୁ ମନୋନୀତ ହୋଇଥିବା ଡକ୍ଟର ସୋନାଲ୍‍ ମାନସିଂହ ଏବଂ ରାମ ସକଲ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ଟିଡିପି ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଥିଲା।

Leave A Reply