ହେଲିକପ୍ଟର ଯୋଗେ ଜେଲରୁ ଫେରାର ହେଲା ଗ୍ୟାଙ୍ଗଷ୍ଟର

0

ପ୍ୟାରିସ୍‍ : ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‍ର ଏକ ଜେଲରେ ବନ୍ଦୀ ଥିବା ଜଣେ ଗ୍ୟାଙ୍ଗଷ୍ଟର ଏକ ହେଲିକପ୍ଟର ଯୋଗେ ଜେଲ୍‍ରୁ ଫେରାର ହେବା ଘଟଣା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ୩ ଜଣ ସଶସ୍ତ୍ର ବ୍ୟକ୍ତି ରବିବାର ହେଲିକପ୍ଟର ଯୋଗେ ସିଏନଏତ ମାରନେ ଜେଲରୁ ଗ୍ୟାଙ୍ଗଷ୍ଟର ରେଡୋଇନ ଫୈଦରକୁ ନେଇ ଫେରାର ହୋଇଯାଇଥିବା ପ୍ୟାରିସ୍‍ ପୁଲିସ୍‍ ସ୍ୱୀକାର କରିଛି। ସେମାନେ ପ୍ୟାରିସ ଉପକଣ୍ଠ ଗୋନିଜଠାରେ ହେଲିକପ୍ଟରରୁ ଓହ୍ଲାଇ ଏକ କାର ଯୋଗେ ସେଠାରୁ ଚମ୍ପଟ ମାରିଛନ୍ତି । ପରେ ପୁଲିସ୍‍ ପ୍ୟାରିସ୍‍ର ଆଉଲନାଇ ଅଞ୍ଚଳରୁ କାରକୁ ଜବତ କରିଛି । ପ୍ରକାଶ ଯେ ଫୈଦ ପୂର୍ବରୁ ୨୦୧୩ ଅପ୍ରେଲରେ ଏକ ଜେଲ କାନ୍ଥକୁ ବିସ୍ଫୋରଣରେ ଉଡ଼ାଇ ଫେରାର ହେବାରେ ସଫଳ ହୋଇଥିଲା। ସେ ଆଉ ୪ ଜଣ କଏଦୀଙ୍କୁ ବନ୍ଧକ ରଖି ନିଜ ସହ ନେଇଯାଇଥିଲା। ପରେ ତାକୁ ସେହି ବର୍ଷ ୟୁରୋପର ଅନ୍ୟ ଏକ ଦେଶରୁ ଗିରଫ କରାଯାଇଥିଲା। ୨୦୧୦ର ଏକ ଡକାୟତି ଘଟଣାରେ ଫୈଦକୁ ୨୫ ବର୍ଷ କାରାଦଣ୍ଡ ହୋଇଛି। ଫୈଦ ଆମେରିକାର ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ପ୍ରେରଣା ପାଇଁ ଗ୍ୟାଙ୍ଗଷ୍ଟର ହେବାକୁ ମନ କରିଥିଲା। ବିଭିନ୍ନ ଅପରାଧିକ କାଣ୍ଡ ଭିଆଇ ନିଜ ଦଳ ଗଠନ କରିବା ପରେ ସେ ପ୍ୟାରିସରେ ଗ୍ୟାଙ୍ଗଷ୍ଟର ରୂପେ ଉଭା ହୋଇଥିଲା। ସେ ଦୀର୍ଘ ୩୦ ବର୍ଷ ହେବ ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଛି। ୩୦ ବର୍ଷ ମଧ୍ୟରୁ ସେ ୧୦ ବର୍ଷ ଜେଲ ଏବଂ ୩ ବର୍ଷ ଲୁଚିବାରେ ବିତାଇ ସାରିଛି ବୋଲି ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ ପ୍ରକାଶ କରିଛନ୍ତି।

Leave A Reply