ନିବିଷ୍ଟ ହୁଅ, ହୃଦ୍‌ବୋଧ କର; ପାଠ ମନେ ରହିବ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କରିଛନ୍ତି। ୧୦ମ ଓ ୧୨ଶ ଶ୍ରେଣୀ ପିଲାମାନେ ସେମାନଙ୍କ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏଥିରେ ସଫଳ ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୋଦୀ ପିଲାମାନଙ୍କୁ କହିଛନ୍ତି ଯେ ପରୀକ୍ଷା କୋଠରିକୁ ସମନ୍ତେ ଶାନ୍ତ, ସତେଜ ଓ ଆତ୍ମବିଶ୍ବାସର ସହିତ ଯିବା ଦରକାର। ପରୀକ୍ଷା ହଲ୍‌ ବାହାରେ ଆମେ ଆମର ସମସ୍ତ ଟେନସନକୁ ଛାଡିଦେଇ ଯିବା। ସ୍ମୃତି ଶକ୍ତିକୁ ପ୍ରଖର ପୂର୍ବକ ପାଠ ମନେ ରଖିବା ଲାଗି ମୋଦୀ ପିଲାମାନଙ୍କୁ ଏକ ସୂତ୍ର ବତାଇଛନ୍ତି। ଏହି ସୂତ୍ରଟି ହେଲା ପାଠରେ ନିବିଷ୍ଟ ହେବା ଓ ପାଠକୁ ହୃଦ୍‌ବୋଧ କରିବା। ପିଲାମାନେ କୌଣସି ପ୍ରସଙ୍ଗକୁ ବାରମ୍ବାର ଘୋଷି ମନେ ରଖିବା ପରିବର୍ତ୍ତେ ଏହାକୁ ହୃଦ୍‌ବୋଧ କରିବା ଦରକାର। ଏହାଦ୍ବାରା ପ୍ରସଙ୍ଗଟି କେବେ ଭୁଲି ହୁଏ ନାହିଁ।

ପିଲାମାନେ ଯାହା କିଛି କରୁଛନ୍ତି ସେଥିରେ ନିମଗ୍ନ ରହିବା ଦରକାର। ହାତରେ ବହି ଧରିଥିଲେ ମଧ୍ୟ ପିଲାମାନେ ଅନେକ ସମୟରେ ସାଙ୍ଗ, ଖାଇବା, ଖେଳିବା ବିଷୟରେ ଚିନ୍ତା କରିଥାନ୍ତି। ଏହାଦ୍ବାରା ପାଠ ମନେ ରହି ନଥାଏ। ତେଣୁ ପିଲାମାନେ ଏପରି ନ କରି ପାଠପଢାରେ ନିମଗ୍ନ ରହିବା ଦରକାର। ପିଲାମାନେ ଯାହାକିଛି ଅଧ୍ୟୟନ କରୁଛନ୍ତି ତାକୁ ନିଜ ମନରେ କଳ୍ପନା କରିବା ଦରକାର। ଏହା ସହିତ ପାଠପଢାରେ ନିଜକୁ ସର୍ବଦା ଜଡିତ ରଖିବା ଦରକାର। ଦୀର୍ଘ ସମୟ ଧରି ପାଠପଢାରୁ ଦୂରେଇ ରହିବା ଦ୍ବାରା ଆମର ଆଗ୍ରହ ଧୀରେ ଧୀରେ କମିଥାଏ। ତେଣୁ ପଢା ପ୍ରତି ନିଜକୁ ଜଡିତ ରଖିବା ପିଲାମାନଙ୍କ ଅଭ୍ୟାସ ହେବା ଦରକାର। ପାଠ ପଢା ସହିତ ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ କାର୍ୟ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନିଜର ସ୍ବପ୍ନ ଦିଗରେ କାର୍ୟ୍ୟ କଲେ ଲକ୍ଷ୍ୟସ୍ଥଳ ସ୍ପଷ୍ଟ ହୋଇଥାଏ। ଲକ୍ଷ୍ୟସ୍ଥଳ ସ୍ପଷ୍ଟ ହେଲେ ଏହାକୁ ହାସଲ କରିବା ସହଜ ହୋଇଥାଏ। ପିଲାମାନଙ୍କ ସଫଳତା ପାଇଁ ଅଭିଭାବକମାନେ ସର୍ବଦା ସେମାନଙ୍କୁ ଉତ୍ସାହିତ କରିବା ଦରକାର। ପିଲାମାନଙ୍କ ମନରେ ଭୟ ସୃ​‌ଷ୍ଟି ପୂର୍ବକ ନକାରାତ୍ମକ ଦିଗରେ ଉତ୍ସାହିତ ନକରିବାକୁ ସେ କହିଛନ୍ତି। ଏହା ସହିତ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଉତ୍ତମ ଧ୍ୟାନ ଦେବାକୁ ଅଭିଭାବକଙ୍କୁ କହିଛନ୍ତି।

Comments are closed.