କୁଆପଥର ମାଡରେ ୩୦ହେକ୍ଟର ଜମିରେ ତରଭୂଜ ଓ ପନିପରିବା ଫସଲ ନଷ୍ଟ

ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ହରଭଙ୍ଗା : ମହାନଦୀକୂଳିଆ ଉର୍ବର ପଟୁମାଟିରେ ତରଭୁଜ ସାଙ୍ଗକୁ ପନିପରିବା ଚାଷ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ବେଶ ମଜଭୁତ୍ କରିପାରିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀକୂଳରେ ଥିବା ରାମଗଡ, ପରଗଳପୁର କୋଇଲିସୂତା ଅଂଚଳରେ ବ୍ୟାପକ ତରଭୁଜ ଏବଂ ପନିପରିବା ଫସଲ ଚାଷ ହୋଇଥାଏ । ମାତ୍ର ଅଦିନିଆ ବର୍ଷା ସାଙ୍ଗକୁ କୂଆପଥର ମାଡରେ ବ୍ୟାପକ ତରଭୂଜ ସାଙ୍ଗକୁ ପନିପରିବା ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ତରଭୂଜ ଚାଷରୁ ଖରାଦିନେ ଚାଷୀ ଭଲ ଦି ପଇସା ଭଲ ରୋଜଗାର କରୁଥିବାବେଳେ କୁଆପଥର ମାଡରେ ଏକର ଏକର ତରଭୁଜ ଚାଷ ନଷ୍ଟ ହୋଇଛି। ସେହିପରି ଏକର ଏକର ପନି ପରିବା ଫସଲ ଚାଷ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ଫଳରେ ଧାରକରଜ ଓ ଋଣ କରି ଚାଷ କରିଥିବା ଚାଷୀ ଋଣ ବୋଝରୁ କିଭଳି ମୁକ୍ତି ପାଇବ ତାକୁ ନେଇ ଚିନ୍ତା ଘାରିଛି ।

କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲାପାଳଙ୍କ ପାଖରେ ଫେରାଦ ପରେ ଉଦ୍ୟାନ କୃଷି ବିଭାଗକୁ ଏହାର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଲଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର, ହରଭଙ୍ଗା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନରଞନ ଦିଗାଲ ପ୍ରମୁଖ ରାମଗଡ, ପରଗଳପୁର ଏବଂ କୋଇଲିସୂତା ଗ୍ରାମର କ୍ଷତିଗ୍ରସ୍ତ ଅଂଚଳରେ  ପହଞ୍ଚି ପ୍ରାଥମିକ ଆକଳନ କରିଛନ୍ତି। ପ୍ରାୟ ୩୦ ହେକ୍ଟର ଚାଷ ଜମିରେ ତରଭୂଜ ଏବଂ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଚାଷୀଙ୍କ ପାଖରୁ ଦରଖାସ୍ତ ମିଳିବା ପରେ କ୍ଷତିପୂରଣ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.