ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କଲେ ସୁପାରିଶ

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ କରାଯାଉଥିବା ଏସ୍‌ଆଇଟି ତଦନ୍ତରେ ତୃଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସୁପାରିଶ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ଏନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି ।


ପରୀ’ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇଛନ୍ତି ଏନସିପିସିଆର୍ । ଏଥିନେଇ ଏନସିପିସିଆର୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏନସିପିସିଆର୍ କହିଛନ୍ତି । ଏଥିଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିବା ବି ଏନସିପିସିଆର୍ କହିଛନ୍ତି ।

ତେବେ ପୂର୍ବରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଯଦୁପୁର ଗ୍ରାମର ସରୋଜ ସେଠୀ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସେ କହିଥିଲେ । ସେ ନିର୍ଦ୍ଦୋଷ ଏବଂ କିଛି ଜାଣିନାହାନ୍ତି ବୋଲି କହିବା ସହିତ ତାଙ୍କ ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସରୋଜ ସେଠୀ କହିଥିଲେ ।

ତେବେ ଶନିବାର ଏସଆଇଟି ସରୋଜ ସେଠୀ ଓ ତାଙ୍କ ପରିବାରର ଦୁଇ ଜଣଙ୍କୁ ଉଠାଇ ନେଇଛି । ଏପଟେ ଏସଆଇଟି ତଦନ୍ତରେ ସେପରି ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ପୂର୍ବରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।

Comments are closed.