ପରୀ ହତ୍ୟାକାରୀକୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍‌ଆଇଟି

ନୟାଗଡ଼ : ପରୀ ହତ୍ୟାକାଣ୍ଡରେ ଯଦୁପୁର ଗ୍ରାମର ଗିରଫ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀକୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ଆବେଦନ କରିଥିବାବେଳେ ଅଦାଲତଙ୍କ ପକ୍ଷରୁ ୩ ଦିନିଆ ରିମାଣ୍ଡ ଅନୁମତି ଦିଆଯାଇଛି। ସୋମବାର ସନ୍ଧ୍ୟାରେ ଅଭିଯୁକ୍ତକୁ ନୟାଗଡ଼ ସ୍ପେଶାଲ ଜଜ୍‌ (ପକ୍‌ସୋ) ଉଦୟଭାନୁ ଜେନାଙ୍କ ଇଜିଲାସରେ ଏସ୍ଆଇଟି ହାଜର କରିଥିଲା। ଅଭିଯୁକ୍ତକୁ ୪ ଦିନ ରିମାଣ୍ଡ ପରିବ​‌ର୍ତ୍ତେ କୋର୍ଟ ୨୨, ୨୩ ଏବଂ ୨୪ ତାରିଖ ପାଇଁ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଆଜି ଭୋର ପ୍ରାୟ ୪ଟା ସମୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରୁ ଅଭିଯୁକ୍ତକୁ ନୟାଗଡ଼ ଅଣାଯାଇଥିଲା। ଦିନ ୧୨ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯଦୁପୁର ଗ୍ରାମକୁ ନିଆଯାଇଥିଲା। ଜିଲାମୁଖ୍ୟ ଚିକିତ୍ସାଳୟରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଏକ ସେକ୍‌ସନ୍‌ ଫୋର୍ସ ନିୟୋଜିତ ହୋଇଥିଲେ। ଅଭିଯୁକ୍ତକୁ ଯଦୁପୁରରେ ଥିବା ଘରକୁ ନିଆଯାଇଥିଲା। ପରୀର ହାଡ଼ ଓ ଖପୁରୀ ବସ୍ତାରେ ବନ୍ଧାହୋଇ ପଡ଼ିଥିବା ଗାଡ଼ିଆରେ ଆହୁରି ହାଡ଼ ଏବଂ ଅସ୍ତ୍ରଶସ୍ତ୍ର ପଡ଼ିଥାଇ ପାରେ ବୋଲି ଏସ୍ଆଇଟି ଆଶଙ୍କା କରି ଏହି ଗାଡିକୁ ଶୁଖାଇବା ଲାଗି କାର୍ଯ୍ୟାରମ୍ଭ କରିଛି। ପରୀକୁ କିଭଳି ଅପହରଣ ଏବଂ ହତ୍ୟା କରାଗଲା ତାହାର ଡେମୋ (କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌) ଦେଖାଯିବ ବୋଲି ବହୁ ଲୋକ ଆଶା କରିଥିଲେ; ମାତ୍ର ତାହା ନ କରି ଅଭିଯୁକ୍ତକୁ ଯଦୁପୁର ଗ୍ରାମରୁ ନୟାଗଡ଼ ଫେରାଇ ନିଆଯାଇ ସେଠାରେ ପକସୋ କୋର୍ଟରେ ହାଜର କରାଇ ଥିଲା ଏସଆଇଟି।

ଅନ୍ୟପକ୍ଷରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି ଯେ, ଲଗାତର ୧୦ ଥର ଜେରା ପରେ ଅଭିଯୁକ୍ତ ଠାରୁ ସମସ୍ତ ସୁରାକ ମିଳିଛି। ଅଭିଯୁକ୍ତ ବିରୋଧରେ ସମସ୍ତ ବଳିଷ୍ଠ ପ୍ରମାଣ ରହିଛି। ଅପରାଧ କାହିଁକି ଘଟିଛି ତାହା ଜାଣିବା ଦ୍ବାରା ହିଁ ଅପରାଧୀକୁ ଧରିବା ସହଜ ହୋଇଥାଏ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ତାକୁ କିଏ ସାହାଯ୍ୟ କରିଛି ତାହାର ମଧ୍ୟ ତଦନ୍ତ ଚାଲିଛି। ଯୌନ ନିର୍ଯାତନା ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମକୁ କହିବା ସହିତ ପରବର୍ତ୍ତୀ ସମୟରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି। କୋର୍ଟରୁ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ଅଧିକ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ୧ ତାରିଖରେ ଏସ୍ଆଇଟି ଏହି ହତ୍ୟାକାଣ୍ଡର ତଦନ୍ତ ଭାର ନେବାପରେ ବର୍ତ୍ତମାନ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତକୁ ଗତ ୨ତାରିଖରେ ସର୍କିଟ ହାଉସକୁ ଡାକି ପଚରାଉଚରା କରାଯାଇଥିଲା। ସେହିଦିନ ଠାରୁ ସେ ଏସ୍ଆଇଟି ସ୍କାନରରେ ରହିଥିଲା। ତା ବିରୋଧରେ ପକସୋ ଆଇନର ୬ଦଫା ଏବଂ ଭାରତୀୟ ପିଙ୍ଗଳ ସଂହିତାର ୩୭୬ଏ,୩୭୬ଏବି,୩୬୪,୩୦୨,୨୦୧ ଧାରା ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି। ଅଦାଲତରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ଶତପଥୀ,ପ୍ରମୋଦ ଦାସ, ଚନ୍ଦ୍ରବିଜୟୀ ମିଶ୍ର, ପ୍ରଭାକର ଉତ୍ତରକବାଟ ମାମଲା ପରିଚାଳନା କରୁଛନ୍ତି।

ନୟାଗଡ଼ ସବଜେଲରେ ରାତି କାଟିଲା ଅଭିଯୁକ୍ତ
ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଯଦୁପୁର ଗ୍ରାମର ସରୋଜ ସେଠୀ ଆଜି ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧଠାରେ ଥିବା ସବଜେଲରେ ରାତ୍ରିଯାପନ କରିଛି। ଆଜିଠାରୁ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ତାକୁ ଏସ୍ଆଇଟି ରିମାଣ୍ଡ ନେଇଥିବାରୁ ସେ ଏସ୍ଆଇଟି ହେପାଜତରେ ରହିବେ। ସରୋଜଙ୍କ ମେଡିକାଲ ଟେଷ୍ଟ ବଳରେ ତାଙ୍କୁ ପକସୋ କୋର୍ଟରେ ଏସଆଇଟି ପକ୍ଷରୁ ସାବାଳକ ଭାବେ ଦର୍ଶାଯାଇଥିଲା। କୋର୍ଟ ଏସ୍ଆଇଟିର ଯୁକ୍ତି ଆଧାରରେ ସରୋଜକୁ ସାବାଳକ ଭାବେ ଗ୍ରହଣ କରିଛନ୍ତି। ପକସୋ କୋର୍ଟରେ ତାକୁ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟକୁ ଯିବେ ବୋଲି ସରୋଜଙ୍କ ଓକିଲ ପ୍ରଫୁଲ୍ଲ କୁମାର ଶତପଥୀ,ପ୍ରମୋଦ ଦାସ,ଚନ୍ଦ୍ରବିଜୟୀ ମିଶ୍ର,ପ୍ରଭାକର ଉତ୍ତରକବାଟ ସୂଚନା ଦେଇଛନ୍ତି।

Comments are closed.