ହାଇକୋର୍ଟଙ୍କ ନାଁ ନେଇ ଡିଜିପି ରାଜ୍ୟବାସୀଙ୍କୁ ମିଥ୍ୟା କହିବା ଗୁରୁତର ଅପରାଧ :ଲେଖାଶ୍ରୀ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀ ହତ୍ୟାକାଣ୍ଡର ତଦନ୍ତ ସଂପୂର୍ଣ୍ଣଭାବେ ଦିଗହରା ହୋଇଛି। ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି କହି ରାଜ୍ୟସରକାର ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। ଏବେ ତାଙ୍କର ସମସ୍ତ ତଥ୍ୟ ଗୋଟେ ପରେ ଗୋଟେ ମିଥ୍ୟା ବୋଲି ଜଣାପଡୁଛି। ଆଜି ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଠାରୁ ମିଳିଥିବା ଆରଟିଆଇ ପ୍ରଶ୍ନର ଉତରରୁ ଜଣାପଡିଛି ଯେ, ମାନ୍ୟବର ଉଚ୍ଚନ୍ୟାୟଳୟ ୧ ଡିସେମ୍ବର ୨୦୨୦ରେ ରାଜ୍ୟସରକାରଙ୍କୁ ସୂଚେଇ ଦେଇଥିଲେ ଯେ, ଏସଆଇଟିର ମନିଟରିଂ ମାନ୍ୟବର ସିଟିଂ ଜଜ୍‍ଙ୍କ ଦ୍ୱାରା ହୋଇପାରିବ ନାହିଁ। ଅର୍ଥାତ୍‍ ରାଜ୍ୟସରକାର ଦେଢମାସରୁ ଊର୍ଦ୍ଧ୍ବ ସମୟ ହେଲା ଜାଣିଲେଣି ଯେ, ଏହି ଏସଆଇଟି ତଦନ୍ତ ହାଇକୋର୍ଟ ମନିଟରିଂ ହୋଇପାରିବ ନାହିଁ। ତଥାପି ବିଭିନ୍ନ ସମୟରେ ରାଜ୍ୟସରକାର ଓ ଶାସକ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଓ ସାଂସଦ ମାନେ ବିଭିନ୍ନ ସମୟରେ ଏସଆଇଟି ‘କୋର୍ଟ ମନିଟର୍ଡ’ ବୋଲି କହିବା ଧର୍ତବ୍ୟ ଅପରାଧ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଗତ ୧୮ ଡିସେମ୍ବର ୨୦୨୦ରେ ଏକ ପ୍ରେସ ବିଜ୍ଞପ୍ତିରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ପରୀ ହତ୍ୟାକାଣ୍ଡ ଘଟଣାକୁ ‘କୋର୍ଟ ମନିଟର୍ଡ’ ବୋଲି ରାଜ୍ୟବାସୀଙ୍କ ଆଗରେ ମିଛ କହିଥିଲେ। ମାନ୍ୟବର ହାଇକୋର୍ଟଙ୍କ ନାଁ ନେଇ ଡିଜିପି ରାଜ୍ୟବାସୀଙ୍କୁ ମିଥ୍ୟା କହିବା ଗୁରୁତର ଅପରାଧ। ଡିଜିପି ପୋଲିସ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମିଥ୍ୟା କହିଥିବା ଯୋଗୁଁ ଉଚ୍ଚନ୍ୟାୟଳୟ ଅବମାମନା ଆଧାରରେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେ ବିଶ୍ୱାସ ରଖିଛୁ। ଶାସକ ଦଳ ଏସଆଇଟି ଓ ଉଚ୍ଚପଦସ୍ତ ସରକାରୀ ଅଫିସରମାନେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ମିଛ କହିଛନ୍ତି। କେଉଁ ସତକୁ ଲୁଚାଇବା ପାଇଁ ରାଜ୍ୟସରକାର ଓ ଶାସକ ଦଳ ତାଙ୍କ ସମସ୍ତ ଏଜେନ୍ସୀକୁ ଲଗାଇ ରାଜ୍ୟବାସୀଙ୍କ ଆଗରେ ମିଥ୍ୟା କହିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି।

ବିଜେଡିର ଢାଲ ସାଜିଥିବା କଂଗ୍ରେସ ଦଳର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସାଇଟି ତଦନ୍ତ ‘କୋର୍ଟ ମନିଟର୍ଡ’ ବୋଲି କହିଛନ୍ତିି। ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି। ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ମିଥ୍ୟା କହିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପରୀ ହତ୍ୟାକଣ୍ଡର ନିରପେକ୍ଷ ତଦନ୍ତ କରିବା ପାଇଁ ଏହି ଘଟଣାରେ ସଂପୃକ୍ତ ଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର ପୁଣିଥରେ ଦାବି କରିଛନ୍ତି।

Comments are closed.