ହତ୍ୟା ଅଭିଯୁକ୍ତାଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

0

ପାଟନା : ଗୋଷ୍ଠୀବଦ୍ଧ ଆକ୍ରମଣର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି ବିହାରର ଭୋଜପୁର ଜିଲାରେ। ଜଣେ ହତ୍ୟା ଅଭିଯୁକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଛନ୍ତି। ପୁଲିସ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଭୋଜପୁର ଜିଲା ଅନ୍ତର୍ଗତ ଦାମୋଦର ପୁର ଗ୍ରାମରେ ଘଟିଛି। ବିମଳେଶ ଶାହ ନାମକ ୧୯ ବର୍ଷ ବୟସ୍କ ଜଣେ ଯୁବକ ରବିବାରଠାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ପରେ ସୋମବାର ସକାଳେ ତାଙ୍କ ମୃତଦେହ ସ୍ଥାନୀୟ ରେଳଧାରଣ ନିକଟରୁ ଉଦ୍ଧାର କରାଯାଇଥିଲା। ବିମଳେଶଙ୍କୁ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ଏଠାକାର ରେଡ୍‍ଲାଇଟ୍‍ ଅଞ୍ଚଳରେ ରହୁଥିବା ଲୋକଙ୍କ ହାତ ଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ସେମାନେ ଉକ୍ତ ସ୍ଥାନରେ ଥିବା କିଛି ଦୋକାନରେ ନିଆଁ ଲଗାଇଦେବା ସହିତ ଦୋକାନୀ ଓ ସେଠାକାର ବାସିନ୍ଦାଙ୍କୁ ମାଡ଼ ମାରିଥିଲେ। ପରେ ସେଠାକାର ଅଟ୍ଟାଳିକାରେ ରହୁଥିବା ଜଣେ ମହିଳାଙ୍କୁ ଘୋଷାଡି ଆଣି ଆଖିବୁଜା ବିଧା, ଗୋଇଠା ମାରିଥିଲେ। ମହିଳା ଜଣକ ମାଡ଼ ନ ମାରିବାକୁ ଆକୁଳ ଗୁହାରି କରୁଥିଲେ ମଧ୍ୟ ଗ୍ରାମବାସୀ କିଛି ନ ଶୁଣି ତାଙ୍କ ବସ୍ତ୍ର ଚିରି ତାଙ୍କୁ ଉଲଗ୍ନ କରିଦେଇଥିଲେ। ପରେ ତାଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଇଥିଲେ। ବାଟସାର ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ସେମାନେ। ମହିଳାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୁଲିସ ପ୍ରକାଶ କରିଛି। ପୁଲିସ ମାମଲାର ତଦନ୍ତ କରିବାକୁ ଯିବା ବେଳେ ଗ୍ରାମବାସୀ ଏକ ଟ୍ରେନ୍‍ ଉପରକୁ ଟେକାପଥର ମାଡ଼ କରିଥିଲେ। ଫଳରେ ପୁଲିସ ବାଧ୍ୟ ହୋଇ ଫାଙ୍କା ଗୁଳିଚାଳନା କରିଥିଲା; କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରୁ କିଛି ଲୋକ ପାଲଟା ଗୁଳିମାଡ଼ କରିଥିବା ଜଣେ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ପୁଲିସ ୧୫ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହିଛି। ଏପରିକି ରାଜନୈତିକ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି। ଆର୍‍ଜେଡି ନେତା ତେଜସ୍ୱୀ ଯାଦବ ଟ୍ୱିଟର୍‍ରେ କହିଛନ୍ତି ବିହାରରେ ପରିସ୍ଥିତି ଏଭଳି ଯେ ଜଣେ ମହିଳାଙ୍କ ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଉଛି। ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ ହାତ ଯୋଡି ପ୍ରାର୍ଥନା କରିଛନ୍ତି।

Leave A Reply