ଚାଲିଗଲେ ପରଶମଣି

ପୁରୀ : ଦେବଦାସୀ ପରଶମଣିଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିଲେ। ବାଲିସାହି ଗଛକାଳି ଲେନ୍‌ସ୍ଥିତ ବାସଭବନରେ ରବିବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସ୍ବର୍ଗଦ୍ବାର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୋଷ୍ୟପୁତ୍ର ପ୍ରସନ୍ନ କୁମାର ଦାସ ମୁଖାଗ୍ନି ଦେଇଛନ୍ତି। ପରଶମଣିଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଲୋପ୍‌ ପାଇଯାଇଛି ଦେବଦାସୀ ପରମ୍ପରା। ପରଶମଣିଙ୍କୁ ଯେତେବେଳେ ମାତ୍ର ୫ବର୍ଷ ବୟସ ହୋଇଥିଲା ତତ୍କାଳୀନ ଦେବଦାସୀ କୁନ୍ଦମଣି ତାଙ୍କୁ ପୁରୀ ଆଣିଥିଲେ। ୭ବର୍ଷ ବୟସରେ ଶ୍ରୀମନ୍ଦିରରେ ଦେବଦାସୀ ସେବାପାଇଁ ସେ ଶାଢି ବନ୍ଧାଇଥିଲେ। ଦୀର୍ଘ ୪୦ବର୍ଷ ଧରି ମହାପ୍ରଭୁଙ୍କ ନିକଟରେ ସେ ଦେବଦାସୀ ସେବା କରିଛନ୍ତି। ମାଜଣା ମଣ୍ଡପରେ ପରଶମଣି ଓଡ଼ିଶୀ, ଛାନ୍ଦ, ଚମ୍ପୁ ଏବଂ ଗୀତଗୋବିନ୍ଦ ପରିବେଷଣ କରୁଥିଲେ। ଶ୍ରୀମନ୍ଦିରରେ ଦେବଦାସୀ ସେବା ବନ୍ଦହେବା ପରେ ପୋଷ୍ୟପୁତ୍ର ପ୍ରସନ୍ନଙ୍କ ଘରେ ସେ ରହୁଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୦୯ ଭଉଁରୀଯାତ୍ରା ଭଜନ ସମାରୋହରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାଛଡା ସଙ୍ଗୀତ ସୁଧାକର ବାଳକୃଷ୍ଣ ଫାଉଣ୍ଡେସନ ପକ୍ଷରୁ ପରଶମଣିଙ୍କୁ ୨୦୦୨ରେ ସମ୍ମାନିତ କରାଯାଇଥିଲା।

Comments are closed.