ବିବାଦୀୟ ପୁଲିସ ଅଧିକାରୀ ପରମବୀର ସିଂହ ନିଲମ୍ବିତ

ମୁମ୍ବଇ : ମହାରାଷ୍ଟ୍ରର ବିବାଦୀୟ ପୁଲିସ ଅଧିକାରୀ ତଥା ରାଜ୍ୟ ଗୃହରକ୍ଷୀ ବାହିନୀ ମହାନିର୍ଦେଶକ ପରମବୀର ସିଂହଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି। ଏଥିସହିତ ବିନାନୁମତିରେ ଦୀର୍ଘ ଅନୁପସ୍ଥିତି ଓ ଅନ୍ୟ ବେଆଇନ କାର୍ଯ୍ୟ ଅଭିଯୋଗ ନେଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ତଦନ୍ତ ଜାରି ରହିଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ଦେବାଶିଷ ଚକ୍ରବର୍ତ୍ତୀଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତିନି ସପ୍ତାହ ଧରି ଚିକିତ୍ସାଧୀନ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୁସ୍ଥ ହୋଇ ଗୁରୁବାର କାର୍ଯ୍ୟରେ ଯୋଗଦେବା ପରେ ପରମବୀରଙ୍କ ନିଲମ୍ବନ ଆଦେଶ ଜାରି କରିଛନ୍ତି। ତାଙ୍କ ସହିତ ଉପାୟକୁ (ଡିସିପି) ପାହ୍ୟାର ଅନ୍ୟ ଜଣେ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକ ସଞ୍ଜୟ ପାଣ୍ଡେ ଉଭୟଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିସ କରିଥିଲେ । ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆଣିଥିବା ମୁମ୍ବଇ ମହାନଗରର ପୂର୍ବତନ ପୁଲିସ ଆୟୁକ୍ତ ପରମବୀର ମାସାଧିକ କାଳ ନିଖୋଜ ରହିବା ପରେ ଗତ ପସ୍ତାହରେ ଅଦାଲତରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଅଦାଲତ ପକ୍ଷରୁ ଜାରି ଗିରଫ ପରୱାନା ଓ ପଳାତକ ନିର୍ଦେଶନାମା ଏହା ପରେ ପ୍ରତ୍ୟାହୃତ ହୋଇଛି ।

Comments are closed.