ଚାକିରି ଛାଡ଼ି ଇଞ୍ଜିନିୟରଙ୍କ ଜନସେବା : ନିଜସ୍ବ କାର୍ଡରେ ପଡ଼ି ଓ ଭତ୍ତା ବଣ୍ଟା

ପାରଳାଖେମୁଣ୍ଡି : ସତ୍‌ ହେଉ କି ଅସତ୍‌ ଉପାୟରେ ହେଉ, ଅଧିକ ଟଙ୍କା ଆହରଣ କରି ଆଭିଜାତ୍ୟ ଜୀବନ ଜିଇବାକୁ ଆଜିର ମଣିଷ ସଦାସର୍ବଦା ତତ୍ପର। ଏଭଳି ସ୍ଥିତିରେ ଆମ ସମାଜରେ ଏବେ ବି କିଛି ମଣିଷ ଅଛନ୍ତି, ଯେଉଁମାନେ ଉଚ୍ଚ ପଦ, ଅଧିକ ବେତନ ଓ ଅୟସପୂର୍ଣ୍ଣ ଜୀବନକୁ ତୁଚ୍ଛ ମନେକରି ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜ ଶୈଳୀରେ ବୁଭୁକ୍ଷୁଙ୍କ ମୁହଁରେ ଅନ୍ନ ଦେବାପାଇଁ ଚାକିରି ଛାଡ଼ିଥିବା ଏହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପାରଳାଖେମୁଣ୍ଡିର ନୀହାରରଞ୍ଜନ ପଣ୍ଡା। ସେ ନିଜର ଏକ ପଡ଼ିକାର୍ଡ଼ ତିଆରି କରି ଗରିବ ଓ ଅସହାୟ ଲୋକଙ୍କୁ ପଡ଼ି ଓ ଭତ୍ତା ବାଣ୍ଟୁଛନ୍ତି।

କବିଚନ୍ଦ୍ର ସାହିନିବାସୀ ଶ୍ରୀ ପଣ୍ଡା ନାମୀଦାମୀ କମ୍ପାନୀରେ ଇଞ୍ଜିନିୟର ଭାବେ ୧୩ ବର୍ଷ ଚାକିରି କରିବା ପରେ ଏବେ ଜନସେବାରେ ବ୍ରତୀ। ପାରଳାଖେମୁଣ୍ଡି ସହରରେ ‘ଜୟ ଅଫ୍‍ ଗିଭିଂ ଚାରିଟେବୁଲ ଟ୍ରଷ୍ଟ’ ଗଠନ କରି ସେ ଅସହାୟ ବୃଦ୍ଧବୃଦ୍ଧା, ବିକଳାଙ୍ଗ ଓ ଅନାଥ ଶିଶୁଙ୍କର ସାହାରା ପାଲଟିଛନ୍ତି।

ଏପରିକି ତାଙ୍କ ସଂସ୍ଥା ପକ୍ଷରୁ ରାସନ କାର୍ଡ଼ ଛାପି ଅସହାୟଙ୍କୁ ପ୍ରତି ମାସରେ ଭତ୍ତା ଓ ପଡ଼ି ପ୍ରଦାନ କରୁଛନ୍ତି। ଆଜିର ସମାଜ ପାଇଁ ସେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି।  ୧୯୭୮ ଜୁନ୍ ୨୬ରେ ଜନ୍ମଗ୍ରହଣ କରିଥିଲେ ନୀହାର। ୧୯୯୮ରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ବିଏସସି(ଗଣିତ)ରେ ଉତ୍ତୀର୍ଣ୍ଣ ହେବା ପରେ, ଭୁବନେଶ୍ୱରସ୍ଥିତ କିଟ୍‍ ବିଶ୍ୱବିଦ୍ୟାଳୟରୁ ୨୦୦୨ରେ ଏମ୍‍ସିଏ ଡିଗ୍ରୀ ହାସଲ କରିଥିଲେ। ତାପରେ ଆରମ୍ଭ ହେଲା ଚାକିରି ଜୀବନ। ଏପ୍ରିଲ ୨୦୦୩ରୁ ୨୦୧୬ ପର୍ଯ୍ୟନ୍ତ ସେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିଥିଲେ। ଶେଷ କାର୍ଯ୍ୟସ୍ଥଳ ଥିଲା ହାଇଦରାବାଦସ୍ଥିତ ଟେକ ମହିନ୍ଦ୍ରା, ଯେଉଁଠି ସେ ବରିଷ୍ଠ ସଫ୍ଟୱେର ଆନାଲିଷ୍ଟ ଭାବେ କାମ କରୁଥିଲେ। ଚାକିରି କାଳ ଭିତରେ ଛୁଟି ସମୟରେ ସେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ନିଜକୁ ଜଡିତ ରଖି ଜନସେବାରେ ଲାଗିଥିଲେ।

ସେ ପ୍ରତିବର୍ଷର ପ୍ରଥମ ସପ୍ତାହରେ ପାରଳାଖେମୁଣ୍ଡି ଆସି ଲୋକଙ୍କ ଦୁଃଖସୁଖ ବୁଝୁଥିଲେ। ସପ୍ତାହର ପ୍ରଥମ ୪ ଦିନ ଘରଘର ବୁଲି ପୁରୁଣା ବସ୍ତ୍ର ଓ ସାମଗ୍ରୀ ସଂଗ୍ରହ କରି ଅନ୍ୟ ୪ଦିନ ସେସବୁକୁ ଅସହାୟ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟୁଥିଲେ। ଚାକିରି ଛାଡ଼ିବା ପାଇଁ ବାପାମାଆ ଓ ପତ୍ନୀଙ୍କୁ ବର୍ଷବର୍ଷ ଧରି ପ୍ରବର୍ତ୍ତାଇବା ପରେ ସେମାନେ ରାଜି ହୋଇଥିଲେ। ସମସ୍ତଙ୍କ ସମ୍ମତି ପରେ ସେ ଚାକିରି ଛାଡ଼ି ନିଜ ସହର ପାରଳାଖେମୁଣ୍ଡିଠାରେ ଜାନୁଆରୀ ୨୦୧୭ରେ ଗଠନ କଲେ ‘ଜୟ ଅଫ୍‌ ଗିଭିଂ ଚାରିଟେବୁଲ ଟ୍ରଷ୍ଟ’। ପ୍ରଥମ ୬ ମାସ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ସର୍ବେକ୍ଷଣ କରିଥିଲେ। ତାଙ୍କ ଅନୁଷ୍ଠାନ ବର୍ତ୍ତମାନ ଅସହାୟ, ବୃଦ୍ଧବୃଦ୍ଧାଙ୍କୁ ସହାୟତା, ଅନାଥ ଓ ଆର୍ଥିକ ଦୁର୍ବଳ ପିଲାଙ୍କୁ ଶିକ୍ଷା, ପାନୀୟଜଳ ଓ ଖାଦ୍ୟ ପ୍ରଦାନ କରିବା, ପୁରୁଣା ବସ୍ତ୍ର ଓ ସାମଗ୍ରୀ ସଂଗ୍ରହ କରି ବାଣ୍ଟିବା ଆଦି ସେବାକାର୍ଯ୍ୟ କରୁଛି।

ଅନୁଷ୍ଠାନ ପକ୍ଷରୁ ନିଜସ୍ବ ପଡିକାର୍ଡ଼ ଛପାଯାଇ ୫୫ ଜଣ ବୃଦ୍ଧବୃଦ୍ଧାଙ୍କୁ ମାସିକ ଭତ୍ତା ଓ ପଡ଼ି ପ୍ରଦାନ କରାଯାଉଛି। ପ୍ରତ୍ୟେକଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଓ ପଡ଼ିରେ ଚାଉଳ, ଡାଲି, ରନ୍ଧାତେଲ, ଚିନି, ସୁଜି, ଲୁଣ ଓ ସାବୁନ ଇତ୍ୟାଦି ପ୍ରଦାନ କରାଯାଉଛି। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ଓ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟ ସରକାର ଦେଲା ଭଳି ନୀହାରଙ୍କ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଭତ୍ତା ଓ ପଡ଼ି ସାମଗ୍ରୀ ପ୍ରତିମାସରେ ଦିଆଯାଉଛି, ଯାହା ବିରଳ। ବିବାହ କିମ୍ବା କୌଣସି ଭୋଜିର ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଲୋକଙ୍କ ମଧ୍ୟରେ ସଂସ୍ଥା ପକ୍ଷରୁ ବଣ୍ଟାଯାଉଛି। ଅନାଥ ପିଲାଙ୍କୁ ଟିଉସନ ଓ ପାଠ ପଢ଼ିବାକୁ ସହାୟତା ଯୋଗାଇ ଦିଆଯାଉଛି। ଜିଲା ମୁଖ୍ୟ ଡାକ୍ତରଖାନାରେ ନିୟମିତ ଭାବେ ୩୦ ଜଣ ବୟସ୍କ ବୃଦ୍ଧବୃଦ୍ଧା, ଗୃହହୀନ, ଅସହାୟ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି। ଏଥିସହିତ ରକ୍ତଦାନ କାର୍ଯ୍ୟ ମଧ୍ୟ କରୁଛନ୍ତି ନୀହାର। ବର୍ତ୍ତମାନ ସୁଦ୍ଧା ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରେରଣା ଦେବା ସହ ନିଜେ ୪୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି।

ଜୟ ଅଫ ଗିଭିଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭ଜଣ ନିୟମିତ ସ୍ୱେଚ୍ଛାସେବୀ ସବୁବେଳେ ଅଭାବୀ ଲୋକଙ୍କ ସହାୟତାରେ ନିୟୋଜିତ ଅଛନ୍ତି। ଯାଜପୁର ଜିଲା ବଳରାମପୁର ଗ୍ରାମର ୫ଟି ଅସହାୟ ପରିବାରକୁ ବାର୍ଷିକ ୪୦୦୦ଟଙ୍କା ଲେଖାଏଁ ସଂସ୍ଥା ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ଏହି ମହତ୍‌ କାର୍ଯ୍ୟ ପାଇଁ ପାରଳାଖେମୁଣ୍ଡିର ଭକ୍ତି ସଙ୍ଗୀତ ସଂସଦ, କ୍ରିଏଟିଭ ଆର୍ଟସ ଏବଂ ସୁଇଡ଼େନର ଥିଓସୋଫିକାଲ ଅର୍ଡ଼ର ଅଫ୍‍ ସର୍ଭିସ, ଓଡ଼ିଶା ରିଜିୟନ ପକ୍ଷରୁ ଭୁବନେଶ୍ୱରଠାରେ ସ୍ୱେଚ୍ଛାସେବୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି।

Comments are closed.