କ୍ବାର୍ଟରରେ ପାରାଗୁଏ,ଉରୁଗୁଏ, ଚିଲି

ବ୍ରାସିଲିଆ/କ୍ୟୁଏବା : କୋପା ଆମେରିକା ଫୁଟବଲର ଗ୍ରୁପ-ଏର କ୍ବାର୍ଟର ଫାଇନାଲ ସ୍ପଷ୍ଟ ହୋଇଛି। ଆର୍ଜେଣ୍ଟିନା, ପାରାଗୁଏ, ଉରୁଗୁଏ ଓ ଚିଲି କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ବଲିଭିଆ ବାଦ୍‌ ପଡିଛି। ଶୁକ୍ରବାର ଦୁଇଟି ଲିଗ୍‌ ମ୍ୟାଚ ଖେଳାଯାଇଥିଲା। ଏଥିରେ ପାରାଗୁଏ – ଚିଲିକୁ ଓ ଉରୁଗୁଏ- ବଲିଭିଆକୁ ପରାସ୍ତ କରିଛନ୍ତି।
ବାସିଲିଆରେ ଖେଳାଯାଇଥିବା ମ୍ୟାଚରେ ପାରାଗୁଏ ୨-୦ ଗୋଲରେ ଚିଲିକୁ ପରାସ୍ତ କରିଛି। ଚିଲି ବିପକ୍ଷରେ ପାରାଗୁଏ ପ୍ରଥମରୁ ​‌େ​‌ଶଷ ପର୍ୟ୍ୟନ୍ତ ପ୍ରାଧାନ୍ୟବିସ୍ତାର କରି ଖେଳିଥିଲା। ଉଭୟ ଦଳ ମଧ୍ୟରେ ମ୍ୟାଚ ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିଥିଲା। ଖେଳର ୩୩ତମ ମିନିଟ୍‌ରେ ପାରାଗୁଏ ପକ୍ଷରୁ ବ୍ରାଏନ୍‌ ସାମୁଡିଓ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ପ୍ରଥମାର୍ଦ୍ଧ ଖେଳରେ ପାରାଗୁଏ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ଚିଲି ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ପାରାଗୁଏ ରକ୍ଷଣାପନ୍ଥୀ କୌଣସି ସୁଯୋଗ ଦେଇନଥିଲେ। ଖେଳର ୫୮ ମିନିଟ୍‌ରେ ପାରାଗୁଏ ପକ୍ଷରୁ ମିଗୁଏଲ ଆଲମିରନ୍ ଦ୍ବିତୀୟ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଖେଳର ଶେଷ ପର୍ୟ୍ୟନ୍ତ ଚିଲି ଗୋଲ ଦେବା ନେଇ ଉଦ୍ୟମ କରି ବିଫଳ ହୋଇଥିଲା। ପାରାଗୁଏ ୩ଟି ମ୍ୟାଚରୁ ୨ଟି ବିଜୟ, ଗୋଟିଏ ପରାଜୟ ସହ ୬ ପଏଣ୍ଟ ସହ ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଥିବାବେଳେ ଅନ୍ତିମ ଲିଗ୍‌ ମ୍ୟାଚ ୨୮ରେ ଉରୁଗୁଏ ସହିତ ଖେଳିବ। ଅନ୍ୟପକ୍ଷରେ ଚିଲି ୪ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୫ ପଏଣ୍ଟ ପାଇ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ସେହିପରି କ୍ୟୁଏବାରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଉରୁଗୁଏ ୨-୦ ଗୋଲରେ ବଲିଭିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ପକ୍କା କରିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ଲାଗି ଉଭୟ ଦଳ ପାଇଁ ମ୍ୟାଚ କର ବା ମର ସଦୃଶ ଥିଲା। ପ୍ରଥମାର୍ଦ୍ଧ ଖେଳର ଅଧଘଣ୍ଟାରୁ ଅଧିକ ସମୟ ଗୋଲ ଦେବା ନେଇ ଉଭୟ ଦଳ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଖେଳର ୪୦ ମିନିଟ୍‌ରେ ଉରୁଗୁଏକୁ ଭାଗ୍ୟ ସାଥ୍‌ ଦେଇଥିଲା। ବଲିଭିଆ ଆତ୍ମଘାତୀ ଗୋଲ ବରଣ କରି ଦଳ ପାଇଁ ବିପର୍ଯ୍ୟୟ ଆଣିଥିଲା। ବଲିଭିଆ ରକ୍ଷଣାପନ୍ଥୀ ଖେଳାଳି ଜାଇରୋ କ୍ୟୁଣ୍ଟେରସଙ୍କ ଆତ୍ମଘାତୀ ଗୋଲ ବଳରେ ଉରୁଗୁଏ ୧-୦ ଗୋଲରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ଖେଳରେ ଉରୁଗୁଏ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବଲିଭିଆ ଗୋଲ ବରାବର କରିବ​‌ା ନେଇ ଉଦ୍ୟମ କରିଥିଲେ ମଧ୍ୟ ଉରୁଗୁଏ କୌଣସି ସୁଯୋଗ ଦେଇନଥିଲା। ଖେଳର ୭୯ ମିନିଟ୍‌ରେ ଉରୁଗୁଏ ପକ୍ଷରୁ ଇଡିନ୍‌ସନ କାଭାନି ଦ୍ବିତୀୟ ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ବଲିଭିଆ ମ୍ୟାଚ ବଞ୍ଚାଇବା ନେଇ ଅନ୍ତିମ ସମୟ ପର୍ୟ୍ୟନ୍ତ ପ୍ରଚେଷ୍ଟା କରି ମଧ୍ୟ ଗୋଟିଏ ହେଲେ ଗୋଲ ଦେଇପାରିନଥିଲା। ବଲିଭିଆ ୩ଟି ମ୍ୟାଚରୁ ୩ଟି ପରାଜୟ ସହ ନକ୍‌ଆଉଟ୍‌ରୁ ବାଦ୍‌୍ ପଡ଼ିଥିବାବେଳେ ୨୮ରେ ଆର୍ଜେଣ୍ଟିନା ସହିତ ଶେଷ ଲିଗ୍‌ ମ୍ୟାଚ ଖେଳିବ। ସେହିପରି ଉରୁଗୁଏ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ଅନ୍ତିମ ଲିଗ୍‌ ମ୍ୟାଚ ୨୮ରେ ପାରାଗୁଏ ସହିତ ଖେଳିବ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ୩ଟି ମ୍ୟାଚରୁ ୭ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସହ ପୂର୍ବରୁ କ୍ବାର୍ଟର ଫାଇନାଲରେ ପ୍ରବେଶ କରିସାରିଥିଲା।

Comments are closed.