ଟିକା ନେଇ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

ପାରାଦ୍ବୀପ : ଟିକା ନେଇ ଜଣେ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ପାରାଦ୍ବୀପ ଉପକଣ୍ଠ ନୂଆଗଡ ଗ୍ରାମରେ ଘଟିଛି। ନୂଆଗଡ ଗ୍ରାମର ସୁପ୍ରବୀର କୁମାର ନନ୍ଦଙ୍କ ୩ ମାସର ପୁଅ ଗତକାଲି ଅଙ୍ଗନୱାଡି କେନ୍ଦ୍ରରେ ଦଣ୍ଡିସି ପ୍ରତିଷେଧକ ଟିକା( ପେଣ୍ଟା), ତରଳ ଝାଡ଼ା ଓ ପେଟ ରୋଗ ପ୍ରତିଷେଧକ ଟିକା (ରୋଟା) ଏବଂ ପୋଲିଓ ପ୍ରତିଷେଧକ ଓପିଭି ଟିକା ନେଇଥିଲେ। ସେଠାରୁ ଫେରିବା ପରେ ପାଖାପାଖି ୧ ଘଣ୍ଟା ପରେ ଶିଶୁଟି ବାନ୍ତି କରିଥିଲେ ମଧ୍ୟ ପରେ ସେ ଖେଳିଥିଲା। କିନ୍ତୁ ସନ୍ଧ୍ୟା ଠାରୁ ତାଙ୍କ ଦେହ ସାମାନ୍ୟ ତାତି ଥିଲା। କିନ୍ତୁ ଏ ସମ୍ପର୍କରେ ସେ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀଙ୍କୁ ସୂଚନା ଦେଇନଥିଲେ। ସକାଳୁ ପରିବାର ଲୋକେ ଶିଶୁ ପୁତ୍ରଟିକୁ ମୃତ ଦେଖିବାକୁ ପାଇଥିଲେ ।
ଶିଶୁଟିର ଆଖି ଓ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ଦିଆଯାଇଥିବା ଟିକାର ଡୋଜ୍ ଅଧିକ ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ତେବେ ପରିବାର ପକ୍ଷରୁ ପାରାଦ୍ବୀପ ଲକ୍ ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments are closed.