ଠିକା ଶ୍ରମିକଙ୍କ ଦରମା ବୃଦ୍ଧି ସପକ୍ଷରେ ଆଇଓସିଏଲ

0

ପାରାଦ୍ୱୀପ : ଆଇଓସିଏଲରେ ଚାଲିଥିବା ଶ୍ରମିକ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। କର୍ତ୍ତୃପକ୍ଷ ଦାବି ମାନି ନେବାପରେ ରାତିରେ ଅନଶନ ପ୍ରତ୍ୟାହୃତ ହୋଇଛି। ଆଇଓସିଏଲରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବୃଦ୍ଧି ଚୁକ୍ତିନାମାରେ କର୍ତ୍ତୃପକ୍ଷ ସ୍ୱାକ୍ଷର କରିବେ ବୋଲି ଘୋଷଣା ହୋଇଛି। ବର୍ଦ୍ଧିତ ଦରମା ଜାନୁଆରୀ ମାସରୁ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି ।  ଅନ୍ୟ ଦାବି ଗୁଡିକ ପ୍ରତି ଆଇଓସିଏଲ୍‍ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।
ଶୁକ୍ରବାର ସକାଳ ୯ଟାରୁ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଓ ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ୍‍ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲିବ ବୋଲି ଘୋଷଣା କରିଥିଲେ। ଗୁରୁବାର ଠାରୁ ଅନଶନ କରିଥିବା ହଜାରରୁ ଅଧିକ ଶ୍ରମିକ ଗୁରୁବାର ରାତିରେ ଅନଶନସ୍ଥଳରେ ହିଁ ରାତ୍ରିଯାପନ କରିଥିଲେ। ଶୁକ୍ରବାର ମଧ୍ୟାହ୍ନରେ ହଠାତ୍‍ ଶ୍ରମିକ ନେତା ବାପି ସର୍ଖେଲ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ଡାକ୍ତରୀ ଟିମ୍‍ ଅନଶନସ୍ଥଳରେ ପହଞ୍ଚି ଶ୍ରୀ ସର୍ଖେଲଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ବାଲିକୁଦା ବିଧାୟକ ଡା.ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ଅନଶନସ୍ଥଳରେ ପହଞ୍ଚିଥିଲେ। ପରେ ଅପରାହ୍ନରେ ଆଲୋଚନା କରିବାକୁ କର୍ତ୍ତୃପକ୍ଷ ଡାକିଥିଲେ। ଆଲୋଚନାରେ ବାପିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଇଓସିଏଲ୍‍ ପ୍ରଶାସନିକ ଭବନରେ ପହଞ୍ଚି ଆଲୋଚନା କରିଥିଲେ। ଦୀର୍ଘ ୪ଘଣ୍ଟା ଧରି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ତୁରନ୍ତ ଠିକା କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ବର୍ଦ୍ଧିତ ଦରମା ଜାନୁଆରୀ ମାସରୁ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସେମିତି ଜଗତସିଂହପୁର ଜିଲାର ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ୬୦ପ୍ରତିଶତ ଆରକ୍ଷଣ, ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ସ୍ଥାନୀୟ ୮ଟି ପଞ୍ଚାୟତରେ ପିଇବା ପାଣି ବ୍ୟବସ୍ଥା ଏବଂ ୧୭୫୨ ଜମିହରା ପରିବାରଙ୍କୁ ନିଶ୍ଚିନ୍ତ ନିଯୁକ୍ତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଲିଖିତ ଭାବେ ପ୍ରତିଶ୍ରୁତି ପାଇବାପରେ ଅନଶନ ପ୍ରତ୍ୟାହାର କରାଯାଇଛି ବୋଲି ଶ୍ରୀ ସର୍ଖେଲ କହିଛନ୍ତି। ଶ୍ରମିକ, ଠିକା କର୍ମଚାରୀ ମାନଙ୍କ ଏକତା ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଆମେ ଲକ୍ଷ୍ୟରେ ସଫଳ ହେଲୁ ବୋଲି ସେ କହିବା ସହ ଆନ୍ଦୋଳନକୁ ସଫଳ କରିଥିବା ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ଦ୍ୱିତୀୟ ଦିନ ଅନଶନରେ ବନ୍ଦର ଟ୍ରଷ୍ଟି ପରେଶ ମୁର୍ମୁ, ବନ୍ଦର ଠିକା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ରାୟ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଦ୍ୱିତୀୟ ଦିନ ଅନଶନରେ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ହଜାର ହଜାର ଶ୍ରମିକ ମଧ୍ୟ ସାମିଲ ହୋଇଥିଲେ। ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

Leave A Reply