ବାହୁଡ଼ିଲେ ୪ ପାରା ଏସୀୟ କ୍ରୀଡ଼ା ପଦକ ବିଜେତା

0

ଭୁବନେଶ୍ୱର : ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ୪ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ଚେସ୍‍ ଭାତ୍ରା ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ ବୁଧବାର ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ପୂର୍ବାହ୍ନ ୧୦ଟାରେ ପ୍ରମୋଦ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଞ୍ଜନ ପରିଡ଼ା, ଓଡ଼ିଶା ପାରା ପ୍ଲେୟର୍ସ ଫୋରମ ସମ୍ପାଦକ ରାଖାଲ ସେଠୀ, ଯୁଗ୍ମ ସମ୍ପାଦକ ସୁନୀଲ ପ୍ରଧାନ ପ୍ରମୁଖ ସ୍ୱାଗତ କରିଥିଲେ। ମଙ୍ଗଳବାର ସମସ୍ତ ପାରା ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ସମ୍ବର୍ଦ୍ଧନା ଦେଇଥିଲେ।
ସଫଳତା ନେଇ ପ୍ରମୋଦ କୁହନ୍ତି, ପ୍ରଥମ ଥର ପାଇଁ ପାରା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍‍ସ ବିଭାଗରେ ସ୍ୱର୍ଣ୍ଣ ଓ ଡବଲ୍‍ସରେ ବ୍ରୋଞ୍ଜ ପଦକ ବିଜୟୀ ହେବା ନେଇ ବହୁତ ଖୁସି। ୨୦୧୯ରେ ବିଶ୍ୱ ପାରା କ୍ରୀଡ଼ା ଓ ୨୦୨୦ ଟୋକିଓ ଅଲିମ୍ପିକ୍‍ସ ରହିଛି। ଏଥିରେ ପଦକ ହାସଲ କରିବା ମୋର ପ୍ରଥମ ଲକ୍ଷ୍ୟ ରହିଛି। ଏବେଠାରୁ ବିଶ୍ୱ ପାରା କ୍ରୀଡ଼ା ଉପରେ ସ୍ୱତନ୍ତ୍ର ଦୃଷ୍ଟିଦେବି। ଏଥିପାଇଁ ବିଦେଶରେ ମଧ୍ୟ ପ୍ରଶିକ୍ଷଣ ନେବାକୁ ମନସ୍ଥ କରିଛି। ଆର୍ଥିକ ପ୍ରୋତ୍ସାହନ ମିଳିଲେ ଭଲ ପ୍ରଶିକ୍ଷଣ ପାଇଁ ବିଦେଶ ଯିବି ବୋଲି ପ୍ରମୋଦ କହିଛନ୍ତି। ଆଥ୍‍ଲେଟିକ୍‍ରେ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ପାରା ଧାବିକା ଜୟନ୍ତୀ ବେହେରା, ଭିନ୍ନକ୍ଷମ ଚେସ୍‍ରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଦୁଇ ଭାଇ ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ ଅପରାହ୍ଣ ୧ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ସେମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଜୟନ୍ତୀ କୁହନ୍ତି, ଏସୀୟ ପାରା କ୍ରୀଡ଼ାରେ ସଫଳତା ନେଇ ମୁଁ ବହୁତ ଖୁସି। ସିନିୟର ସ୍ତରରେ ପ୍ରଥମ ସଫଳତା ମିଳିଛି। ଏହା ପ୍ରଶିକ୍ଷକ ବିଷ୍ଣୁ ସାର, ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି। ଆଗକୁ ୨୦୧୯ ବିଶ୍ୱ ପାରା କ୍ରୀଡ଼ା ଓ ୨୦୨୦ ଟୋକିଓ ଅଲିମ୍ପିକ୍‍ସ ରହିଛି। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବି। ଅଲିମ୍ପିକ୍‍ରେ ପଦକ ହାସଲ କରିବା ନେଇ ପ୍ରଥମ ଲକ୍ଷ୍ୟ ରହିଛି। ବିଦେଶରେ ଉନ୍ନତ ପ୍ରଶିକ୍ଷଣ ନେବା ନେଇ ମଧ୍ୟ ଲକ୍ଷ୍ୟ ରହିଛି ବୋଲି ଜୟନ୍ତୀ କହିଛନ୍ତି। କୋଚ୍‍ ବିଷ୍ଣୁ ପ୍ରସାଦ ମିଶ୍ର କୁହନ୍ତି, ସାଧାରଣ କ୍ରୀଡ଼ାବିତ୍‍ଙ୍କ ଭଳି ପାରା କ୍ରୀଡ଼ାବିତ୍‍ମାନେ ସୁବିଧା ସୁଯୋଗ ପାଉନାହାନ୍ତି। ସରକାରଙ୍କ ପକ୍ଷରୁ ଜୟନ୍ତୀଙ୍କୁ ବିଦେଶରେ ପ୍ରଶିକ୍ଷଣ ଯୋଗାଇ ଦେଲେ ଅଲିମ୍ପିକ୍‍ସରେ ପଦକ ହାସଲ କରିବା ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ, ଜୟନ୍ତୀ ମହିଳା ଟି-୪୭ ବିଭାଗ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଓ ୪୦୦ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ବ୍ୟାଡ୍‍ମିଣ୍ଟନ ଏସ.ଏଲ-୩ ବିଭାଗରେ ପ୍ରମୋଦ ଭଗତ ସିଙ୍ଗଲ୍‍ସରେ ସ୍ୱର୍ଣ୍ଣ ଓ ଡବଲ୍‍ସରେ ବ୍ରୋଞ୍ଜ୍‍ ଏବଂ ଚେସ୍‍ରେ ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ ରୌପ୍ୟ ପଦକ ଜିତିଥିଲେ।

Leave A Reply