ସହଜ ବିଜୟ ସହ ସୁପର-୧୨ରେ ବାଂଲାଦେଶ

ମସ୍କାଟ୍‌: ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ​‌ରୁ ସୁପର-୧୨ ପର୍ଯ୍ୟାୟରେ ପହଞ୍ଚିଛି ବାଂଲାଦେଶ। ଗୁରୁବାର ଗ୍ରୁପ୍‌ ‘ବି’ର ଅନ୍ତିମ ମ୍ୟାଚ୍‌ରେ ୮୪ ରନ୍‌ରେ ସହଜରେ ପାପୁଆ ନ୍ୟୁ ଗିନିକୁ ପରାସ୍ତ କରିଛି ବାଂଲାଦେଶ। ପ୍ରଥମ ମ୍ୟାଚ୍‌ ହାରିଥିଲେ ହେଁ କ୍ରମାଗତ ୨ଟି ମ୍ୟାଚ୍‌ ଜିତି ବାଂଲାଦେଶ ସୁପର-୧୨ର ଟିକଟ ପାଇଛି। ୩ଟିରୁ ୨ଟି ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ୨ୟ ସ୍ଥାନରେ ଥିବା ବାଂଲାଦେଶ ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌-୧ରେ ସ୍ଥାନପାଇଛି। ପ୍ରଥମଥର ପାଇଁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ପାପୁଆ ନ୍ୟୁ ଗିନି ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇ ବିଶ୍ବକପ୍‌ରୁ ବିଦାୟ ନେଇଛି। ଅଧିନାୟକ ମହମ୍ମଦୁଲ୍ଲା ଓ ସାକିବ୍ ଅଲ୍‌ ହାସନ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୭ ୱିକେଟରେ ୧୮୧ ରନ୍‌ କରିଥିଲା। କିପ୍ଲିନ୍ ଡୋରିଗାଙ୍କ ଅପରାଜିତ ୪୬ ରନ୍ ସତ୍ତ୍ବେ ପାପୁଆ ନ୍ୟୁ ଗିନି ୧୯.୩ ଓଭରରେ ୯୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା।

ପାପୁଆ ନ୍ୟୁ ଗିନି ପାଇଁ ୧୮୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବା ପ୍ରାୟ ଅସମ୍ଭବ ଲାଗୁଥିଲା। ଆରମ୍ଭରୁ ପାପୁଆ ନ୍ୟୁ ଗିନି ୱିକେଟ ହରାଇ ଚାଲିଥିଲା। ୨୯ ରନ୍‌ରେ ଏହା ୭ଟି ୱିକେଟ ହରାଇଥିଲା। ତେବେ କିପ୍ଲିନ୍ ଡୋରିଗାଙ୍କ ଅପରାଜିତ ୪୬ ରନ୍ ଯୋଗୁଁ ପାପୁଆ ନ୍ୟୁ ଗିନି ୯୭ ରନ୍‌ରେ ପହଞ୍ଚି ପାରିଥିଲା। ଡୋରିଗା ଓ ଚାଦ୍ ସୋପର (୧୧)ଙ୍କୁ ଛାଡ଼ି କେହି ୨ ଅଙ୍କ ସ୍କୋର୍ କରି ପାରିନଥିଲେ। ସାକିବ୍ ଅଲ୍‌ ହାସନ୍ ୪ଟି ଏବଂ ମହମ୍ମଦ ସୈଫୁଦ୍ଦିନ୍ ଓ ତାସ୍କିନ୍ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅଲ୍‌ରାଉଣ୍ଡ ସଫଳତା ପାଇଁ କ୍ରମାଗତ ୨ୟ ମ୍ୟାଚ୍‌ରେ ସାକିବ୍ ଅଲ୍ ହାସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ବାଂଲାଦେଶ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ତେବେ ୨ୟ ବଲ୍‌ରେ ବାଂଲାଦେଶର ମହମ୍ମଦ ନଇମ୍ ଆଉଟ ହୋଇ ଯାଇଥିଲେ। ୨ୟ ୱିକେଟ ପାଇଁ ଓପ୍‌ନର ଲିଟନ୍ ଦାସ ଓ ସାକିବ୍ ଅଲ୍‌ ହାସନ୍ ୫୦ ରନ୍‌ ଯୋଡ଼ିଥିଲେ। ଲିଟନ ୨୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍‌ କରିଥିଲେ। ମୁସ୍‌ଫିକୁର ରହିମ୍ ୫ ରନ୍‌ କରି ପାରିଥିଲେ। ସାକିବ୍ ପୁଣି ଏକ ଭଲ ଇନିଂସ ଖେଳି ୩୭ ବଲ୍‌ରୁ ୩ଟି ଛକା ସହ ୪୬ ରନ୍‌ କରିଥିଲେ। ପରେ ମହମ୍ମଦୁଲ୍ଲା ବିସ୍ଫୋରକ ବ୍ୟାଟିଂ କରିଥିଲେ। ମହମ୍ମଦୁଲ୍ଲା ୨୮ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୦ ରନ୍‌କରି ଆଉଟ ହୋଇଥିଲେ। ଆଫିଫ୍ ହୋସେନ୍ ୧୪ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ମହମ୍ମଦ ସୈଫୁଦ୍ଦିନ ୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। କାବୁଆ ମୋରିଆ, ଡାମିଏନ୍ ରାବୁ ଓ ଅସଦ୍ ଭଲା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.