ସ୍ଲେଜିଂର ଶିକାର ହେଲେ ପନ୍ତ୍‌

0

ଗଣମାଧ୍ୟମରେ ତୀବ୍ର ସମାଲୋଚନା ସତ୍ତ୍ବେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସଂପ୍ରତି ଘରୋଇ ମାଟିରେ ଚାଲିଥିବା ଟେଷ୍ଟ ସିରିଜରେ ପ୍ରତିପକ୍ଷ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ (କଟୁ ମନ୍ତବ୍ୟ) କରିବାରେ କୁଣ୍ଠାବୋଧ କରୁନାହାନ୍ତି। ଶୁକ୍ରବାର ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ୱିକେଟରକ୍ଷକ ଋଷଭ ପନ୍ତ୍‌ ସ୍ଲେଜିଂର ଶିକାର ହୋଇଛନ୍ତି। ଭାରତର ଦ୍ବିତୀୟ ଇନିଂସରେ ପନ୍ତ୍‌ ବ୍ୟାଟିଂ କରୁଥିବାବେଳେ ଅଷ୍ଟ୍ରେଲିଆ ଅଧିନାୟକ ତଥା ୱିକେଟରକ୍ଷକ ଟିମ୍‌ ପେନ୍‌ ତାଙ୍କ ପ୍ରତି କେତେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ପେନ୍‌ଙ୍କ କଥା ଷ୍ଟମ୍ପ ମାଇକ୍ରୋଫୋନ୍‌ରେ ସ୍ପଷ୍ଟ ଶୁଣାଯାଇଥିଲା। ’ତୁମେ ଦିନିକିଆ ଦଳରେ ସ୍ଥାନ ପାଇନାହଁ। ତେଣୁ ସ୍ବଦେଶ ନ ଫେରି ଏଠାରେ ବିଗ୍‌ବାସ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ହବାର୍ଟ ହରିକେନ୍‌ସ ଦଳକୁ ପ୍ରତିନିଧିତ୍ବ କର’ ବୋଲି ପେନ୍‌ କହିଛନ୍ତି। ପୁନଶ୍ଚ ପେନ୍‌ କହିଥିଲେ ଯେ ’ ମୁଁ ପତ୍ନୀଙ୍କ ସହ ଫିଲ୍ମ ଦେଖିବାକୁ ଚାହୁଁଛି। ତୁମେ ଯଦି ମୋ ଘରକୁ ଆସି ରାତ୍ରୀଭୋଜନ କରିବା ସହ ମୋ ପିଲାଛୁଆଙ୍କ ଯତ୍ନ ନେବ, ତାହାହେଲେ ମୁଁ ଉପକୃତ ହେବି’ ବୋଲି ପେନ୍‌ କହିଛନ୍ତି। ତେବେ ପନ୍ତ୍‌ ଏଭଳି ବ୍ୟବହାରରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ।

Leave A Reply