ପନ୍ତ୍ ଶୀର୍ଷ ମାନ୍ୟତାପ୍ରାପ୍ତ ଟେଷ୍ଟ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ

ଦୁବାଇ: ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତ୍‌ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ପନ୍ତ୍‌ ଦ୍ବିତୀୟ ଇନିଂସରେ ୮୯ ରନ୍‌ ସଂଗ୍ରହ କରି ଅପରାଜିତ ରହିବା ସହ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହା ସମ୍ଭବପର ହୋଇପାରିଛି।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ବୁଧବାର ଜାରି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପନ୍ତ୍‌ ୬୯୧ ପଏଣ୍ଟ ସହ ୧୩ନଂରେ ରହିଛନ୍ତି। ଅନ୍ତର୍ଜାତୀୟ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଭାବେ ପନ୍ତ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡି’ କକ୍‌ ୬୭୭ ପଏଣ୍ଟ ସହ ବ୍ୟାଟିଂ ମାନ୍ୟତାରେ ୧୫ନଂରେ ରହିଛନ୍ତି। ଅନ୍ୟପକ୍ଷରେ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ତରଫରୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଲାବୁସେନ୍‌ ୮୭୮ ପଏଣ୍ଟ ସହ ୩ୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୮୬୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଛନ୍ତି।

ସେହିପରି ୪ର୍ଥ ଟେଷ୍ଟର ଦ୍ବିତୀୟ ଇନିଂସରେ ୯୧ ରନ୍‌ର ଇନିଂସ ଖେଳିଥିବା ଭାରତୀୟ ଦଳର ଯୁବ ଓପନର୍‌ ଶୁବମାନ୍‌ ଗିଲ୍‌ଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଆସିଛି। ଗିଲ୍‌ ପୂର୍ବରୁ ୬୮ନଂରେ ରହିଥିବା ବେଳେ ବର୍ତ୍ତମାନ ସେ ୪୭ନଂରେ ରହିଛନ୍ତି। ଭାରତୀୟ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ମାନ୍ୟତାର ୭ମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍‌ ପେନ୍‌ ଏହି ମ୍ୟାଚ୍‌ରେ ଯଥାକ୍ରମେ ୫୦ ଓ ୨୭ ରନ୍‌ କରିଥିବାରୁ ସେ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୪୨ନଂରେ ରହିଛନ୍ତି। ଅଜିଙ୍କ୍ୟ ରାହାଣେ ୭୪୮ ପଏଣ୍ଟ ସହ ୯ମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ୯୧୯ ପଏଣ୍ଟ ସହ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୮୯୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ତରଫରୁ ପଦାପର୍ଣ କରିଥିବା ୱାଶିଂଟନ ସୁନ୍ଦର ବ୍ୟାଟିଂ ମାନ୍ୟତାରେ ୮୨ ଓ ବୋଲିଂ ମାନ୍ୟତାରେ ୯୭ନଂରେ ରହିଛନ୍ତି। ସେହିପରି ସାର୍ଦ୍ଦୁଳ ଠାକୁର ବ୍ୟାଟିଂ ମାନ୍ୟତାରେ ୧୧୩ ଓ ବୋଲିଂ ମାନ୍ୟତାରେ ୬୫ନଂରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ ବୋଲିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥ ସ୍ଥାନରେ ରହିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦ୍ବିଶତକ ହାସଲ କରିଥିବା ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ୍‌ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୫କୁ ଫେରିଛନ୍ତି। ସେ ୬ଟି ସ୍ଥାନ ଉପରକୁ ଉଠି ୭୩୮ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି। ଜନି ବେୟାରଷ୍ଟୋ ବ୍ୟାଟିଂ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୫୮ନଂରେ ରହିଥିବା ବେଳେ ଇଂଲଣ୍ଡ ଦଳର ସ୍ପିନର ଜ୍ୟାକ୍‌ ଲିଚ୍‌ ବୋଲିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୪୦ ଓ ଡୋମିନିକ୍‌ ବେସ୍‌ ୫ଟି ସ୍ଥାନ ଉପରକୁ ଉଠି ୩୦ନଂରେ ରହିଛନ୍ତି। ଶ୍ରୀଲଙ୍କାର ଲାହିରୁ ଥିରୁମାନେ ବ୍ୟାଟିଂ ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଉଠି ୮୭ନଂରେ ରହିଥିବା ବେଳେ ବୋଲିଂ ମାନ୍ୟତାରେ ଏହି ଦଳର ଲେଗ୍‌ସ୍ପିନର ଲାସିଥ୍‌ ଏମ୍ବୁଲଡେନିଆ ୬ଟି ସ୍ଥାନ ଉପରକୁ ଉଠି ୪୭ ଓ ଦ୍ରୁତ ବୋଲର ଆସିଥା ଫର୍ଣ୍ଣାଡୋ ୧୧ଟି ସ୍ଥାନ ଉପରକୁ ଉଠି ୯୬ନଂରେ ରହିଛନ୍ତି।

Comments are closed.