ପେନ୍‌ଙ୍କ ପିଲାଙ୍କୁ ସମ୍ଭାଳିଲେ ପନ୍ତ୍‌

0

ସିଡନୀ : ଭ୍ରମଣକାରୀ ଭାରତୀୟ କ୍ରିକେଟ୍‌ ଦଳର ୱିକେଟରକ୍ଷକ ଋଷଭ ପନ୍ତ୍‌ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ଟିମ୍‌ ପେନ୍‌ଙ୍କ ପିଲାଙ୍କ ଦେଖାଶୁଣା କରିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଗତ ରବିବାର ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍‌ ସିଡ଼ନୀରେ ଏକ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏହି ଉତ୍ସବରେ ଦୁଇ ଦେଶର କ୍ରିକେଟର୍‌ମାନେ ଉପସ୍ଥିତ ରହିଥିଲେ। ଉତ୍ସବରେ ଉପସ୍ଥିତ ଋଷଭ ପନ୍ତ୍‌ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ପେନ୍‌ଙ୍କ ଦୁଇ ପିଲାଙ୍କୁ ବେଶ୍‌ କିଛିସମୟ ଦେଖାଶୁଣା କରିଥିଲେ। ସେହି ସମୟରେ ପେନ୍‌ଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପନ୍ତ୍‌ ଦୁଇ ପିଲା ଓ ପେନ୍‌ଙ୍କ ପତ୍ନୀଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଥାଉକି ତୃତୀୟ ଟେଷ୍ଟ ସମୟରେ ପନ୍ତ୍‌ଙ୍କୁ ଥଟ୍ଟା କରି ପେନ୍‌ କହିଥିଲେ ଯଦି ତମେ ମୋ ପିଲାଙ୍କ ଦେଖାଶୁଣା କରିବ ତେବେ ମୁଁ ପତ୍ନୀ ସହ ସିନେମା ଦେଖିବାକୁ ଯିବି। ସେହିପରି ଦିନିକିଆ ସିରିଜ୍‌ରୁ ପନ୍ତ୍‌ ବାଦ୍‌ ପଡ଼ିଥିବାରୁ ବିଗ୍‌ବାସ ଲିଗ୍‌ରେ ହରିକେନ୍‌ସ ଦଳ ତରଫରୁ ଖେଳିବାକୁ ପେନ୍‌ ପ୍ରସ୍ତାବ ଦେଇଥିଲେ। ତେବେ ପନ୍ତ୍‌ ମଧ୍ୟ ଏହାର ଦୃଢ଼ ଜବାବ ଦେବା ସହ ପେନ୍‌ଙ୍କ ଭଳି କାମଚଳା ଅଧିନାୟକ କ୍ରିକେଟ୍‌ରେ ବିରଳ ବୋଲି କହିଥିଲେ। ରବିବାର ପେନ୍‌ଙ୍କ ପିଲାଙ୍କ ଦେଖାଶୁଣା କରି ପନ୍ତ୍‌ ନିଜ ମହନୀୟତାର ପ୍ରମାଣ ଦେଇଥିବା ଆଲୋଚନା ହେଉଛି।

Leave A Reply