କୋଭିଡ କଟକଣା ମଧ୍ୟରେ ପାଳିତ ହେବ ପ୍ରସିଦ୍ଧ ପଞ୍ଜୁଦୋଳ ଯାତ୍ରା, ଜାଗର ପାଇଁ ଧବଳେଶ୍ୱରରେ ଜାରି ହେବ ୧୪୪ଧାରା

ଆଠଗଡ : ଆଠଗଡ ଗଡଜାତରେ ରାଜାରାଜୁଡା ଅମଳରୁ ଚାଲିଆସିଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳିତ ହେବାକୁ ଥିବାବେଳେ ଧବଳେଶ୍ୱର ପୀଠରେ ଜାଗର ଯାତ୍ରା ଦିନ ୧୪୪ଧାରା ଜାରି ହେବ ବୋଲି ଆଠଗଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କର ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଓ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ କୋଭିଡ ୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୧ତାରିଖରେ ହେବାକୁ ଥିବା ଜାଗର ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ଲାଗି ଧବଳେଶ୍ୱର ପୀଠରେ ସକାଳ ୬ରୁ ତା ପରଦିନ ଅର୍ଥାତ୍ ୧୨ତାରିଖ ସକାଳ ୬ପର୍ଯ୍ୟନ୍ତ ୨୪ଘଣ୍ଟା ପାଇଁ ୧୪୪ଧାରା ଜାରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଆସନ୍ତା ଏପ୍ରିଲ ୨ତାରିଖରେ ଏବଂ ତା ପରଦିନ ଏପ୍ରିଲ ୩ତାରିଖରେ ଆଠଗଡରେ ହୋଲି ଉତ୍ସବ ପାଳନ ହେବାକୁ ଥିବାବେଳେ କୋଭିଡ କଟକଣାକୁ କଡାକଡି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆଠଗଡ ଗଡଜାତ ଅଞ୍ଚଳରେ ମାର୍ଚ୍ଚ ୨୪ତାରିଖ ଦିନ ଫଗୁ ଦଶମୀଠାରୁ ଏପ୍ରିଲ ୯ତାରିଖ ବାରୁଣୀ ଯାତ୍ରା ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ କରାଯାଇଥାଏ। ଚଳିତ ବର୍ଷ ୨୪ତାରିଖରେ ଫଗୁଦଶମୀ ଠାରୁ ଶ୍ରୀ ରାଧାଗୋବିନ୍ଦ ଜୀଉ, ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ, ଶ୍ରୀ ରଘୁନାଥ ଜୀଉ, ଶ୍ରୀ ଲକ୍ଷ୍ମୀନୃସିଂହ ଦେବ ବିମାନରେ ସହର ପରିକ୍ରମା ସହିତ ଚାଚେରୀ ଭୋଗ ଲାଗି ହେବ। ୨୭ତାରିଖ ଚତୁର୍ଦ୍ଦଶୀରେ ରାଜାଗ୍ନି ଏବଂ ୨୮ତାରିଖରେ ଦୋଳପୂର୍ଣ୍ଣିମା ପାଳନର ୫ଦିନ ପରେ ଅର୍ଥାତ୍ ଏପ୍ରିଲ ୨ତାରିଖରେ ପଞ୍ଜୁଦୋଳ ଯାତ୍ରା ଅନୁଷ୍ଠିତ ହେବ। ପଞ୍ଚୁଦୋଳ ଯାତ୍ରାରେ କୋଭିଡ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ, ଜନଗହଳି କମ କରାଯିବ ଏବଂ ସାମାଜିକ ଦୂରତ୍ୱ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ହୋଲି ଉତ୍ସବ ପାଳନ ବେଳେ ବିମାନ ବାହକ, ପୂଜକ, ରୋଗୀ ଓ ରୋଗୀଙ୍କ ସହାୟକ, ପରୀକ୍ଷାର୍ଥୀ, ସରକାରୀ କର୍ମଚାରୀ ମହିଳା ଏବଂ ଶିଶୁଙ୍କୁ ରଙ୍ଗଖେଳରୁ ବାଦ୍ ଦେବାଲାଗି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ସଂକ୍ରମଣର ସ୍ଥିତିକୁ ଦେଖି ପଞ୍ଚୁଦୋଳ ଯାତ୍ରା ଓ ହୋଲି ଉତ୍ସବରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇପାରେ ବୋଲି ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ବୈଠକରେ ଆଠଗଡ ବିଡିଓ ଅରୁଣ କୁମାର ଦାସ, ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ ମଲ୍ଲ, ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ, ଦେବୋତ୍ତର ଉପଦେଷ୍ଟା କମିଟିର ସଭାପତି ପ୍ରାଣକୃଷ୍ଣ ଦାଶ ପ୍ରମୁଖଙ୍କ ସମେତ କମିଟିର ଅନ୍ୟ ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ଆଠଗଡ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ ତଥା ସମାଜସେବୀ କେଶବାନନ୍ଦ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Comments are closed.