କ୍ବାରେନଣ୍ଟାଇନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର; କରାଯିବ କରୋନା ପରୀକ୍ଷା

ଆଠଗଡ଼: କରୋନା ବ୍ୟାପିବା ନିମନ୍ତେ କେହି କେହି ବଜ୍ରକାପ୍ତାକୁ ଦାୟୀ କରିଥାଆନ୍ତି । ବଜ୍ରକାପ୍ତା ଓ ବାଦୁଡ଼ିର ମିଶ୍ରିତ (ଫ୍ୟୁଜନ୍) ଭୂତାଣୁ ଚୀନରୁ ବାହାରି ସାରା ବିଶ୍ବକୁ ବ୍ୟାପିଛି ବୋଲି ଅନେକ ମତ ଦେଇଛନ୍ତି । ଏହି ସ୍ଥିତିରେ  ଚୀନରେ ଔଷଧ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ବ୍ୟବହାର ହେଉଥିବା  ବଜ୍ରକାପ୍ତା ପ୍ରତି ଲୋକଙ୍କର ଗୋଟିଏ ଭୟ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ବନଖଣ୍ଡ ରେଞ୍ଜ ଅଞ୍ଚଳର ଏକ ମହୁଲିଆ କ୍ବାରେନଣ୍ଟାଇନ ସେଣ୍ଟରରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । କ୍ବାରେନଣ୍ଟାଇନ ସେଣ୍ଟର ଦାୟିତ୍ବରେ ଥିବା ସରପଞ୍ଚଙ୍କ ସୂଚନା କ୍ରମେ ବନ ବିଭାଗ କର୍ମଚାରୀମାନେ ଏହାକୁ ଉଦ୍ଧାର କରିଛନ୍ତି । ଏହି ବଜ୍ରକାପ୍ତାଟି ଛୋଟ ଆକାରର ଓ ତାର ଓଜନ ମାତ୍ର ୪ କିଲୋ ବୋଲି ଜଣାପଡ଼ିଛି ।

କ୍ୱାରେଣ୍ଟାଇନ କେନ୍ଦ୍ରରୁ ଧରାପଡିଛି ଯେହେତୁ ବଜ୍ରକାପ୍ତାଟି ଧରା ପଡ଼ିଛି  ତାର କରୋନା ପରୀକ୍ଷା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ଏହାପରେ ଏହାକୁ ଜଙ୍ଗଲରେ ଛଡ଼ାଯିବ  ତେବେ ବଜ୍ରକାପ୍ତାଟି କିପରି କ୍ୱାରେନଣ୍ଟାଇନ ସେଣ୍ଟରକୁ ଆସିଲା ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି । ଆଠଗଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରି ରାକେଟ୍ ପୂର୍ବରୁ ଧରାପଡ଼ିଛି । ପୂର୍ବରୁ ଗୋଟିଏ ମଲା ବଜ୍ରକାପ୍ତା ସହ ୩ଟି ଜୀବନ୍ତ ବଜ୍ରକାପ୍ତାକୁ ବନ ବିଭାଗ ଜବତ କରିଥିଲା । ଅନୁରୂପ ଭାବରେ  ବଜ୍ରକାପ୍ତା ଚୋରା ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଅଧିକ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳର  ୩ ଜଣଙ୍କୁ କଟକ ନୂଆପାଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ଼ ବନ ବିଭାଗ ।

Comments are closed.