ରେଢ଼ାଖୋଲ ବନ ବିଭାଗକୁ ବଡ଼ ସଫଳତା : ଆନ୍ତଃଜିଲ୍ଲା ବଜ୍ରକାପ୍ତା ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ

ପୂର୍ବତନ ସରପଂଚ ସମେତ ୭ ଗିରଫ, ୨.୬ କେଜି ବଜ୍ରକାପ୍ତା କାତି ଜବତ

ରେଢ଼ାଖୋଲ : ମଙ୍ଗଳବାର ରେଢ଼ାଖୋଲ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ଧରି ବିରଳ ବଜ୍ରକାପ୍ତାକୁ ନେଇ ଚାଲିଥିବା ଏକ  ଆନ୍ତଃଜିଲ୍ଲା ଚୋରାଚାଲାଣ ଗ୍ୟଙ୍ଗକୁ ବନ ବିଭାଗ ପର୍ଦ୍ଦାଫାସ କରିଛି। ଏହି ଚୋରା କାରବାରରେ ସାମିଲ୍ ଜଣେ ପୂର୍ବତନ ସରପଂଚଙ୍କ ସମେତ ୭ ଜଣଙ୍କୁ ବନ ବିଭାଗ ଗିରଫ କରିବା ସହିତ ୨.୬ କେଜି ବଜ୍ରକାପ୍ତା କାତି ଜବତ କରିଛି।

ଆଜି ରେଢ଼ାଖୋଲ ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରାଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ମାସ ହେଲା ରେଢ଼ାଖୋଲ ବନଖଣ୍ଡରୁ ରାଜ୍ୟର ଅନ୍ୟଜିଲ୍ଲାକୁ ବିରଳ ବନ୍ୟଜନ୍ତୁ ବଜ୍ରକାପ୍ତାର ଚୋରାଚାଲାଣ ଚାଲିଥିବା ସମ୍ପର୍କରେ ସୂରାକ ମିଳିଥିଲା। ଏହାକୁ ବିଭାଗ ଗୁରୁତର ସହିତ ନେଇ ତଦନ୍ତକୁ ଜୋରଦାର କରିଥିଲେ। ଆଉ ଦୀର୍ଘ ଦିନର ପରିଶ୍ରମ ପରେ ଆଜି ବିଭାଗକୁ ସଫଳତା ମିଳିଛି। ଏଥିରେ ଜଡ଼ିତ ନାକଟିଦେଉଳ ଅଂଚଳର ୭ ଜଣଙ୍କୁ ଆଜି ବିଭାଗ ତରଫରୁ ଗିରଫ କରାଯାଇଥିବା ସହ ସେମାନେ କଂଚନପୁର ଗ୍ରାମ ନିକଟସ୍ଥ ଟିକିରା ନଦୀରେ ପୋତିଥିବା ବଜ୍ରକାପ୍ତାର ୨.୬ କେଜି କାତି ଜବତ କରାଯାଇଛି। ଏଥିସହ ଜଣେ ଅଭିଯୁକ୍ତ ଫେରାର ଥିବା ଡିଏଫଓ କହିଛନ୍ତି।

ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରେ ସରାପାଲି ପଂଚାୟତର ଜଣେ ପୂର୍ବତନ ସରପଂଚ ଥିବା ସେ ସୂଚନା ମିଳିଛି। ଗିରଫ ହୋଇଥିବା ୭ ଜଣ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ କଂଚନପୁର ଗାଁର ସୁଶିଲ ସେଠୀ (୨୪), ସଡ଼ୋ ଗାଁର ଲକ୍ଷଣ ସେଠୀ (୪୫), ଶ୍ରୀରାମ ଶବର (୬୫), ସିରା ଶବର (୪୧), ଖିଜୁ ଶବର (୫୦), ସରାପାଲି ପଂଚାୟତର ଗୌଡ଼ପାଲି ଗାଁର ଯଦୁମଣି ପାତ୍ର(୪୦) ଓ ନାକ୍ଟିଦେଉଳ ଗାଁର ନେପାଳ ସାହୁ(୬୦)। ଏମାନଙ୍କ ମଧ୍ୟରେ ଥିବା ଯଦୁମଣି ହେଉଛନ୍ତି ସରାପାଲି ପଂଚାୟତର ଜଣେ ପୂର୍ବତନ ସରପଂଚ। ଗିରଫ ବ୍ୟକ୍ତିମାନଙ୍କୁ ଆସନ୍ତାକାଲି ରେଢ଼ାଖୋଲରେ ଥିବା ମାନ୍ୟବର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯିବ ବୋଲି ଡିଏଫଓ କହିଛନ୍ତି।ଏହି ଗ୍ୟାଙ୍ଗର ଲିଙ୍କ୍ର ଚେର ରାଜ୍ୟର ଅନୁଗୁଳ, ଦେବଗଡ଼ ଓ କଟକ ଜିଲ୍ଲାକୁ ଲମ୍ବିଛି ବୋଲି ମଧ୍ୟ ଡିଏଫଓ ସୂଚନା ଦେଇଛନ୍ତି।

Comments are closed.