ପଙ୍ଗପାଳ ଗୁଜବ ; ଧୂମାଭଟା ଅଞ୍ଚଳରେ ହଜାର ହଜାର ଝିଣ୍ଟିକା

ପାଟଣାଗଡ : ପାଟଣାଗଡ କୃଷି ଜିଲା ଅନ୍ତର୍ଗତ ଧୁମାଭଟା ଅଞ୍ଚଳରେ ଆଜି ହଠାତ୍ ଦେଖାଦେଇଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ଝିଣ୍ଟିକାକୁ ଦେଖି ଅଞ୍ଚଳବାସୀ ପଙ୍ଗପାଳ ଆତଙ୍କରେ ଆତଙ୍କିତ ହୋଇପଡିଥିବା ଜଣାଯାଇଛି। ଆଜି ସକାଳୁ ହଠାତ୍ ହଜାର ହଜାର ସଂଖ୍ୟାରେ ଉକ୍ତ ଝିଣ୍ଟିକା ଅଞ୍ଚଳରେ ପହଞ୍ଚି ବିଭିନ୍ନ ବୃକ୍ଷ ଲତାମାନଙ୍କରେ ବସୁଥିବା ଲୋକେ ଦେଖିଥିଲେ। ଚାହୁଁ ଚାହୁଁ ଖବରଟି ବିଦ୍ୟୁତ ବେଗରେ ସମଗ୍ର ଅଞ୍ଚଳରେ ପ୍ରଚାରିତ ହୋଇ ପଡିବା ମାତ୍ରେ ଚାଷୀ ପଙ୍ଗପାଳ ଭୟରେ ଆତଙ୍କିତ ହୋଇ ଉଠିଥିଲେ। ଯଦିଓ ଅଞ୍ଚଳର ବହୁ ବର୍ଷିୟାନ ଚାଷୀ ଏହା ପଙ୍ଗପାଳ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଝିଣ୍ଟିକା ବୋଲି ଲୋକଙ୍କୁ ବୁଝାଉଛନ୍ତି ତେବେ ମଧ୍ୟ ସାଧାରଣରେ ଆତଙ୍କର ବାତାବରଣ ଖେଳିଯାଇଛି। ଯଥାଶୀଘ୍ର କୃଷି ବିଭାଗର କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ପହଞ୍ଚି ଦେଖାଯାଉଥିବା ଝିଣ୍ଟିକା ପଙ୍ଗପାଳ ନୁହେଁ ବୋଲି ଚାଷୀଙ୍କୁ ବୁଝାଇବା ସହ ଉକ୍ତ ଅଞ୍ଚଳରେ ଦେଖା ଦେଇଥିବା ହଜାର ହଜାର ସଂଖ୍ୟାର ଝିଣ୍ଟିକା ଘଉଡାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦୃଢ ଦାବି ଜଣାଇଛନ୍ତି।

Comments are closed.