ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନ ପାଇଁ କମିଟି ଗଠିତ

ଭୁବନେଶ୍ୱର: ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଆଠ ଜଣିଆ କମିଟି ଗଠନ କରିଛନ୍ତି। ଏ ନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଆନ୍ଧ୍ରପ୍ରଦେଶ ଦ୍ୱାରା ମନୋନୀତ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଏହି କମିଟିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ସଦସ୍ୟ ଅଛନ୍ତି।

ଉଭୟ ରାଜ୍ୟ ମଧ୍ୟରେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଚଳିତ ମାସ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏହି କମିଟି ଗଠନ କରାଯାଇଛି। ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ହିତ ସାଧନ ନିମନ୍ତେ ସମାଧାନର ସୂତ୍ର ବାହାର କରିବା ପାଇଁ ଉଭୟ ରାଜ୍ୟର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ। ବିଶେଷ କରି ଉଭୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ଜଳ, ସୀମା ବିବାଦ, ଶକ୍ତି ଏବଂ ମାଓ ସମସ୍ୟା ନେଇ ଆଲୋଚନା ହୋଇଥିଲା।

ଆଲୋଚନା କାଳରେ କୋଟିଆ ସୀମା ବିବାଦ, ନେରେଡି ବ୍ୟାରେଜ୍, ଝଂଜାବତି ଜଳଭଣ୍ଡାର ଏବଂ ପୋଲାଭରମ ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାଓବାଦୀ ସମସ୍ୟା ଏବଂ ଗଂଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଉଭୟ ରାଜ୍ୟ ନିଷ୍ପତ୍ତି ନେଇଥିଲେ। ବୈଠକରେ ଆଉ ଏକ ନିଷ୍ପତ୍ତି ଅନୁଯାୟୀ ବି.ଆର. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚେୟାର ସ୍ଥାପନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହା ବ୍ୟତୀତ ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାର ବିଦ୍ୟାଳୟରେ ଭାଷା ଶିକ୍ଷକ ନିଯୁକ୍ତି, ପୁସ୍ତକ ଯୋଗାଣ ଏବଂ ଭାଷା ପରୀକ୍ଷା ପରିଚାଳନା ମଧ୍ୟ ତ୍ୱରାନ୍ୱିତ କରିବାକୁ ଉଭୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Comments are closed.