ଆଜି ହୋଇପାରେ ଘୋଷଣା !

ପଞ୍ଚାୟତ ନିର୍ବାଚନ : ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ ଆୟୁକ୍ତ

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନିର୍ଦିଷ୍ଟ ସମୟ ସୀମା ଭିତରେ କରିବା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ନିର୍ଦିଷ୍ଟ ସମୟ ସୀମା ଭିତରେ ନିର୍ବାଚନ କରିବାକୁ ଯୁକ୍ତି ବାଢ଼ିଛି। ଏନେଇ ଦଳର ସାଂସଦ ଅମର ପ୍ରସାଦ ପଟ୍ଟନାୟକ କହିଛନ୍ତି ଯେ, ଗୋଟିଏ ମିନିଟ ଯେଭଳି ନିର୍ବାଚନ ବିଳମ୍ବ ନ ହୁଏ ତାକୁ ଦଳ ଗୁରୁତ୍ବ ଦେଉଛି।
ଅନ୍ୟପକ୍ଷରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରୋନା କଟକଣା ଭିତରେ କରିବା ପାଇଁ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ ଏକପ୍ରକାର ସବୁଜ ସଙ୍କେତ ଦେଇଛନ୍ତି। ଖୁବ୍‌ଶୀଘ୍ର ଆୟୋଗଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସେ କହିଥିବାବେଳେ ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ଏହାବାଦ୍ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତରବରିଆ ଭାବେ ରାଜ୍ୟ କ୍ୟାବିନେଟ ବୈଠକ ଆହୂତ କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର ଥିଲା, ମାତ୍ର ଆଜି ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଥିରୁ ରାଜ୍ୟ ସରକାର ନିର୍ବାଚନ ମୁହାଁ ବୋଲି ସ୍ପଷ୍ଟ ବାରି ହେଉଛି। ଆସନ୍ତାକାଲି ବିଧିବଦ୍ଧ ଭାବେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି।
ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଲାଗି ପୁଲିସ ମହାନିର୍ଦେଶକ, ଆଇଜି ଓ ଡିଆଇଜିଙ୍କ ସହ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ ମଧ୍ୟ ଆଲୋଚନା କରିଛନ୍ତି। ଏନେଇ ଅନୁଷ୍ଠିତ ଆଭାସି ସମ୍ମିଳନୀରେ ଶ୍ରୀ ପାଢ଼ୀ ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ନିର୍ଦେଶ ଦେଇଛନ୍ତି। କରୋନା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କରୋନା କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିବାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ବାଟ ଫିଟିଛି।

Comments are closed.