୨୭ ସୁଦ୍ଧା ପଞ୍ଚାୟତ ବିଜ୍ଞପ୍ତି !

ଫେବୃଆରୀ ୧୩ରୁ ମତଦାନ,ମାର୍ଚ୍ଚ ସୁଦ୍ଧା ମିଳିବ ପ୍ରତିନିଧି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିନାହିଁ। ହେଲେ ସରକାରଙ୍କ ସଜବାଜ ସହ ନେତା ଓ କର୍ମୀଙ୍କ ଭିତରେ ତତ୍ପରତା ଲକ୍ଷ୍ୟ କରାଯାଉଛି। କେଉଁଦିନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଚରଣ ବିଧି ବିଜ୍ଞପ୍ତି ପ୍ରକାଶ ପାଇବ ତାକୁ ଉତ୍ସୁକତାର ସହ ସମସ୍ତେ ଚାହିଁ ବସିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ଚଳିତମାସ ୨୭ ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ପଞ୍ଚାୟତ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପାଇବା ପରେ ଏବେ ଭୋଟର ତାଲିକା ଜାରି ହୋଇସାରିଛି। ଆସନ୍ତା ୨୦୨୨ ମାର୍ଚ୍ଚ ୧୦ ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ନିୟମ ଅନୁସାରେ ୨୦୨୨ ମାର୍ଚ୍ଚ ୧୨ ତାରିଖ ପୂର୍ବରୁ ନୂଆ ଜନପ୍ରତିନିଧିଙ୍କ ମୁହଁ ସ୍ପଷ୍ଟ ହେବା ଦରକାର। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ କରିବାପାଇଁ ନିଷ୍ପତ୍ତି ହୋଇଛି।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୦୨୨ ମାର୍ଚ୍ଚ ୧୦ରୁ ୧୨ ମଧ୍ୟରେ ନୂତନ ଟିମ୍ ଆସିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ। ଆପାତତଃ ଫେବୃଆରୀ ୧୨ କିମ୍ବା ୧୩ରେ ପଞ୍ଚାୟତ ଭୋଟ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଦିନ ଧାର୍ଯ୍ୟ କରିବେ। ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ସୁଦ୍ଧା ଫଳ ପ୍ରକାଶନ ପରେ ନୂଆ ଜନପ୍ରତିନଧିିଙ୍କୁ ଦାୟିତ୍ୱ ଗ୍ରହଣ କରିବେ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଆୟୋଗ ଇତିମଧ୍ୟରେ ନୀତିଗତ ନିଷ୍ପତ୍ତିି ନେଇଛନ୍ତି। ଜିଲାସ୍ତରରେ ଭୋଟିଂ ମେସିନ ପହଞ୍ଚି ସାରିଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଧିକାରୀମାନଙ୍କୁ କିଛିଦିନ ପାଇଁ ତାଲିମ ଦିଆଯିବ। ରାଜ୍ୟର ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ଜିଲାପରିଷଦ ସଭ୍ୟ ପଦ ପାଇଁ ଭୋଟ ଅନୁଷ୍ଠିତ ହେବ। ୬୭୯୪ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଆଚରଣବିଧି ନିୟମ ଅନୁସାରେ ମତଦାନର ୪୫ ଦିନ ପୂର୍ବରୁ ବିଜ୍ଞପ୍ତି ଜାରି ହେବା କଥା। ଏହି ଦୃଷ୍ଟିରୁ ଡିସେମ୍ବର ୨୭ରୁ ଫେବୃଆରୀ ୧୨ ହିଁ ୪୫ଦିନ ହେଉଛି। ସୂଚନାଯୋଗ୍ୟ ଯେ ୨୦୧୭ରେ ପଞ୍ଚାୟତ ନିର୍ବାଚନ ବେଳେ ଫେବୃଆରୀ ୧୩ରୁ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲାପରିଷଦ ସଭ୍ୟ ପଦ ପାଇଁ ଫେବୃଆରୀ ୧୩, ୧୫, ୧୭, ୧୯ ଓ ୨୧ରେ ଭୋଟ ଗ୍ରହଣ କରାଯାଇଥିଲା। ମତଦାନ ଦିନ ଅପରାହ୍ଣରେ ଭୋଟ ଗଣତି କରାଯାଇଥିଲା। ମାତ୍ର ସରକାରୀ ଭାବେ ଫଳାଫଳ ଫେବୃଆରୀ ୨୩ ଓ ୨୫ରେ ଘୋଷଣା ହୋଇଥିଲା। ଚଳିତଥର ଆୟୋଗଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ଆଚରଣବିଧି ତାରିଖ ଘୋଷଣା ପରେ ହିଁ ସବୁ କଥା ସ୍ପଷ୍ଟ ହୋଇଯିବ।

Comments are closed.