ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା : ଘୁଞ୍ଚିପାରେ ପଞ୍ଚାୟତ ନିର୍ବାଚନ!

ସ୍ଥିତି ବିଗିଡ଼ିଲେ ଘୁଞ୍ଚିବ: ପଞ୍ଚାୟତିରାଜ ମନ୍ତ୍ରୀ, ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ସରକାର: ସ୍ବାସ୍ଥ୍ୟମନ୍ତ୍ରୀ, ନିୟମ କଡ଼ାକଡ଼ି ପାଳନ ଲାଗି ଜିଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର : କରୋନା ଭୂତାଣୁର ନୂତନ ପ୍ରଜାତି ଚିହ୍ନଟ ଯୋଗୁଁ ସମ୍ଭାବ୍ୟ ତୃତୀୟ ଲହର ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇଛି। ଏନେଇ ତତ୍ପରତା ବଢିବା ସହିତ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଏହା ଆହ୍ବାନ ପାଲଟିଛି। ଯଦି ପ୍ରଥମ ଓ ଦ୍ବିତୀୟ ଥରର ଲହର ଭଳି ପ୍ରକୋପ ରୁହେ, ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ସବୁସ୍ତରରେ ଚିନ୍ତା ପ୍ରକଟ ପାଉଛି। ଆଉ ମାସକ ପରେ ପଞ୍ଚାୟତ ନିର୍ବାଚନ ଜୋରଦାର ହେବ। ଯଦି ତୃତୀୟ ଲହର ରାଜ୍ୟରେ ସାଂଘାତିକ ରୂପ ଧାରଣ କରିବ ତେବେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିପାରେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ପୂର୍ବରୁ ପିପିଲି ଉପନିର୍ବାଚନ ବେଳେ ଦ୍ବିତୀୟ ଲହରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ନିର୍ବାଚନ ଘୁଞ୍ଚିଥିଲା। ଯଦି ତୃତୀୟ ଲହର ସେହି ରୂପଧାରଣ କରେ ତେବେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିପାରେ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି। ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟ ନଭେମ୍ବର ୧୫ରୁ ଖୋଲିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଛନ୍ତି। ଦୀର୍ଘଦିନ ଧରି ରାଜ୍ୟରେ ୨୦୦ ତଳେ ଦୈନିକ ସଂକ୍ରମଣ ରହୁଥିବାବେଳେ ଦୁଇଦିନ ତଳେ ଏହା ତିନିଶହ ଟପିଥିଲା। ସଂକ୍ରମଣର ସ୍ଥିତି ଉପରେ ପରବର୍ତ୍ତୀ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ରାଜ୍ୟବାସୀଙ୍କୁ ଆଶ୍ବସ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଓ ହଂକଂ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଜିଲାପାଳମାନଙ୍କୁ ନମୁନା ପରୀକ୍ଷା ହାର ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ଏହାବାଦ୍ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ କରିବା ଏବଂ ଅଧିକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଆବଦ୍ଧାଞ୍ଚଳ କରିବାକୁ ମଧ୍ୟ କୁହାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ଲୋକସେବା ଭବନରୁ ଆଭାସି ସମ୍ମିଳନୀ ମାଧ୍ୟମରେ ସବୁ ଜିଲାପାଳ, ଏସ୍‌ପି ଏବଂ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜୀବିକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମ ଗୁଡ଼ିକ ପୁନଃ ଆରମ୍ଭ ହୋଇଛି। ତେଣୁ ଏବେ ଆଗାମୀ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ। ଏହାବାଦ୍ କରୋନା ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହିତ ଏହାକୁ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ । ସବୁ ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନବାଡ଼ି କର୍ମୀ, ପଞ୍ଚାୟତସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କରୋନା ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦେଶ ଦେଇଛନ୍ତି।
ଟିକାକରଣ କାର୍ଯ୍ୟକ୍ରମକୁ ଗ୍ରାମ୍ୟସ୍ତରରେ ତ୍ବରାନ୍ବିତ କରିବା ପାଇଁ ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା ନିର୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କହିଥିଲେ ଯେ କେତେକ ଦେଶରେ କରୋନା ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି। ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ଆଶଙ୍କା ରହିଛି। ତେଣୁ ୧୮ରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କ ଶତପ୍ରତିଶତ ଟିକାକରଣ ଆମ ପାଇଁ ବଡ଼ ପ୍ରତିରୋଧକ ହେବ। କରୋନା ପରୀକ୍ଷା ବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ସେ ଗୁରୁତ୍ବ ଦେଇଥିଲେ।
ନୂଆ ଭୂତାଣୁ ‘ଓମିକ୍ରନ୍‌’ ଚିନ୍ତା ବଢ଼ାଇଛି। ଏହାକୁ ନେଇ ବିମାନବନ୍ଦର ଉପରେ ନଜର ରଖାଯାଇଛି। ବିଦେଶୀ ଯାତ୍ରୀଙ୍କ ପାଇଁ କରୋନା ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବାକୁ ଗୁରୁତ୍ବ ଦିଆଯିବା ସହିତ ସମସ୍ତ ଯାତ୍ରୀଙ୍କ ପାଇଁ ପୃଥକବାସ ବାଧ୍ୟତାମୂଳକ କରାଯାଇଥିବା ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି।

Comments are closed.