ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମାର୍ଚ୍ଚ ୫ ହେବ ପଞ୍ଚାୟତିରାଜ ଓ ଲୋକସେବା ଦିବସ

ଭୁବନେଶ୍ବର : ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛି। ଗଣତନ୍ତ୍ରରେ ଲୋକେ ହିଁ ଶ୍ରେଷ୍ଠ। ସାଧାରଣ ଲୋକ ହିଁ ମାଲିକ। ବିଜୁବାବୁ ସବୁବେଳେ ସାଧାରଣ ଲୋକର ହକକୁ ଗୁରୁତ୍ବ ଦେଉଥିଲେ। ତେଣୁ ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯିବ। ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲୋକସେବା ଭବନରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ଥିଲା ବିଜୁବାବୁଙ୍କ ସ୍ବପ୍ନ। ବିଜୁବାବୁ କହୁଥିଲେ, ‘ମୋ ରାଜ୍ୟର ପ୍ରତି ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ରହିବା ଦରକାର’। ଖୁସିର କଥା ଏ ଦିଗରେ ଆମେ ଅନେକ ବାଟ ଆଗେଇ ପାରିଛୁ। ଏ ପର୍ଯ୍ୟନ୍ତ ଆମେ ୨୫ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେଇପାରିଛୁ। ଆଗାମୀ ୪ ବର୍ଷ ଭିତରେ ଆଉ ୨୦ଲକ୍ଷ ପକ୍କା ଘର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ପକ୍କା ଘର ପାଇଁ ହିତାଧିକାରୀଙ୍କୁ ପକ୍କା ଘର ଅଧିକାର ପତ୍ର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋ ସରକାର କଥା ନୁହେଁ, କାମରେ ବିଶ୍ବାସ କରେ। ପକ୍କାଘର ଯୋଗ୍ୟତା କାର୍ଡ଼ ଅଧିକାର ପାଇଥିବା ସମସ୍ତ ହିତାଧିକାରୀଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ। ଠିକ ସମୟରେ ଘର ତିଆରି କରି ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ଜଣ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ଼ ଅଧିକାରୀ ପତ୍ର ବଣ୍ଟନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ବାରା ୫-ଟି ଅଧୀନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅନଲାଇନ କେସ୍ ରେକର୍ଡ଼ ପରିଚାଳନା’ ଏବଂ ‘ଆମ ଘର ମୋବାଇଲ ଆପ’ର ଶୁଭାରମ୍ଭ କରିଥିଲେ। ଏହି ଅନଲାଇନ ରେକର୍ଡ଼ ପରିଚାଳନା ମାଧ୍ୟମରେ ହିତାଧିକାରୀମାନେ ବ୍ୟକ୍ତିଗତ ଭାବେ ଗ୍ରାମୀଣ ବାସଗୃହ ଯୋଗାଣ ସଂକ୍ରାନ୍ତ ସମସ୍ତ ତଥ୍ୟ ପାଇପାରିବେ। ଏଥିସହିତ ଆମ ଘର ମୋବାଇଲ ଆପ ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ କିସ୍ତିଗୁଡ଼ିକର ପ୍ରକ୍ରିୟା ଏବଂ ଫଟୋ ଅପଲୋଡ଼ କରିପାରିବେ।
କାର୍ଯ୍ୟକ୍ରମରେ ଗ୍ରାମୀଣ ବାସଗୃହ ଯୋଜନାରେ ଉପକୃତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ୨୧ଟି ଅନନ୍ୟ ସଫଳ କାହାଣୀକୁ ନେଇ ସଂକଳିତ କଫି ଟେବୁଲ ବୁକ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।
ସମାରୋହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପର ଅବତାରଣା କରିଥିଲେ। ଯୋଜନା ଓ ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଉତ୍ତମ ସେବା ପ୍ରଦାନ କରିବା ଉପରେ ଗୁରୁତ୍ବ ଦେଇଥିଲେ।
ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ନିମନ୍ତେ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ଆଦି ୪ଟି ବିଭାଗ ଅଧୀନରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଣିକି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ବାରା କରାଯିବ। ଏଥିପାଇଁ ଆଜି ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଂଜନ କୁମାର ସିଂହ କରିଥିଲେ ଯେ ବିଭାଗ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୌଶଳକୁ ଆପଣାଇ ଲୋକଙ୍କ ପାଖରେ ସମସ୍ତ ସରକାରୀ ସେବା ଓ ସୁବିଧା ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।
ସ୍ବାଗତ ଭାଷଣ ଦେବା ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବା ପାଇଁ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।