ପଞ୍ଚାୟତ ନିର୍ବାଚନ ପାଇଁ ବସିଲା ସର୍ବଦଳୀୟ ବୈଠକ : କଂଗ୍ରେସର ନା ; ବିଜେପିର୯ କେଁ

ଜନତାଙ୍କ ସାମ୍ବିଧାନିକ ଅଧିକାର ଉଠାଇଲା ବିଜେଡି, ମାର୍ଗଦର୍ଶିକା ଅନୁସରଣ କରି ନିର୍ବାଚନ ହେବ : ଆୟୁକ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ସେଥିରେ ଏବେ ଭଟ୍ଟା ପଡ଼ିବାକୁ ଯାଉଛି । ସୋମବାର ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ସାଢ଼େ ୧୧ଟାରେ ରାଜ୍ୟ ମୁଖ୍ୟନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରମୁଖ ରାଜନୈତିକ ତିନିଦଳର ଭିନ୍ନମତ ପ୍ରକାଶ ପାଇଥିଲା। ସମ୍ପ୍ରତି କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ନିର୍ବାଚନ ସପକ୍ଷରେ ନ ଥିବାବେଳେ ବିଜେପି ସରକାରଙ୍କୁ ନିଶାଣ କରି ନଅଟି କେଁ ପୂରାଇଛି । ଅନ୍ୟପକ୍ଷରେ ବିଜେଡି କରୋନା ମାର୍ଗଦର୍ଶିକା ଅନୁସରଣ କରି ଜନ ପ୍ରତିନିଧିଙ୍କ ଅବଧି ପୂରଣ ହେଉଥିବାରୁ ନିର୍ବାଚନ କରାଇବା ସପକ୍ଷରେ ଯୁକ୍ତି ବାଢ଼ିଛି ।
ସର୍ବଦଳୀୟ ବୈଠକରେ ବିଜେପି ବିଧାୟକ ମୋହନ ମାଝି ନିର୍ବାଚନ ପୂର୍ବରୁ ସରକାରଙ୍କ ପାଖରେ ୯ଟି ଦାବି ରଖିଥିଲେ। ଶ୍ରୀ ମାଝି କହିଥିଲେ, ଯେ ପର୍ଯ୍ୟନ୍ତ ପଛୁଆବର୍ଗଙ୍କୁ ସଂରକ୍ଷଣ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖାଯାଉ। ଏହାବାଦ୍ ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି, ତା’ର ସଂଶୋଧନ ସହିତ ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ଉଚ୍ଛେଦ, ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ବଦଳି, କରୋନା ମହାମାରୀର ଶୀର୍ଷ ଅବଧି ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ କିମ୍ବା ତିନି ମାସ ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି ରଖିଛି ବିଜେପି ।
ସେହିପରି କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା ଓ ଶିବାନନ୍ଦ ରାୟ ପ୍ରମୁଖ କରୋନା ପାଇଁ ନିର୍ବାଚନ ୩ ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରଖିଥିଲେ। ଶ୍ରୀ ବେହେରା କହିଥିଲେ ଯେ, ଜୀବନ ଆଗ, ନିର୍ବାଚନ ପଛ। ଏହାବାଦ୍ ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେବା ଓ ବିଭିନ୍ନ ଜିଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ୍ ଭାବେ ନ ଦିଆଯାଇ ଥିବାରୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ସେ ଦାବି କରିଥିଲେ।
ଅନ୍ୟପକ୍ଷରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଯେ, ପଞ୍ଚାୟତ ନିର୍ବାଚନର ଅବଧି ମାର୍ଚ୍ଚରେ ଶେଷ ହେବ। ନିର୍ଦିଷ୍ଟ ସମୟରେ ଜନପ୍ରତିନିଧି ମିଳିବା ଭୋଟରଙ୍କ ସାମ୍ବିଧାନିକ ଅଧିକାର। ନିର୍ବାଚନ ଗୋଟିଏ ମିନିଟ୍ ମଧ୍ୟ ବିଳମ୍ବ ହେବା କଥା ନୁହେଁ। ପଞ୍ଚାୟତ ନିର୍ବାଚନ କିଭଳି ଅବାଧରେ ହୋଇପାରିବ ସେଥିପାଇଁ ନିର୍ବାଚନ ଆୟୁକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବୁ ବୋଲି ପ୍ରସ୍ତାବ ଦିଆଯାଇଛି। କରୋନା ମାର୍ଗଦର୍ଶିକା ଭିତରେ କିପରି ନିର୍ବାଚନ ହେବ ଏବଂ ଯଦି କେଉଁଠି ପରିସ୍ଥିତି ଜଟିଳ ହେବ ତେବେ ସେଠାରେ ପରେ ନିର୍ବାଚନ କରିବା ଭଳି ପ୍ରସ୍ତାବ ଦିଆଯାଇଛି।

ସର୍ବଦଳୀୟ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା ହୋଇଛି। ସମ୍ପ୍ରତି କରୋନା ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆୟୋଗଙ୍କ ସହିତ ଆଲୋଚନା କରାଯିବ। ଜାତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟର ନିର୍ବାଚନ ପାଇଁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଅନୁକରଣ କରି ଖୁବ୍‌ଶୀଘ୍ର ପଞ୍ଚାୟତ ନିର୍ବାଚନ କରାଯିବ। ଏନେଇ ଆୟୋଗଙ୍କ ପକ୍ଷରୁ ତ୍ବରିତ ମାର୍ଗଦର୍ଶିକା ପ୍ରକାଶ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୂସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କ ଜାତିପ୍ରମାଣପତ୍ର ଦାଖଲ କରିବେ। ଉକ୍ତ ଜାତି ପ୍ରମାଣପତ୍ରଗୁଡ଼ିକ ରାଜ୍ୟ ସରକାର କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ପ୍ରାପ୍ତ ହୋଇଥିବ। ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବୃଦ୍ଧି କରାଯାଇଛି। ପଞ୍ଚାୟତ ନିର୍ବାଚନରେ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ନିର୍ବାଚନ ପାଇଁ ଜିଲା ପରିଷଦ, ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ କ୍ଷେତ୍ରରେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରିଙ୍କଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ ଓ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ସ୍ୱଲିଖିତ ସତ୍ୟପାଠ ଦାଖଲ କରିବେ। ପ୍ରଥମଥର କରି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ବ୍ଳକସ୍ତରରେ ତିିନିଦିନ ଧରି ଜିଲା ପରିଷଦ ୱାରୀ ଗଣନା କରାଯିବ । ନିର୍ବାଚନ ଘୋଷଣା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭିନ୍ନ ଭିନ୍ନ ପଦ ନିମନ୍ତେ ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ୍‌ ପେପର ନିର୍ବାଚନରେ ବ୍ୟବହାର କରାଯିବ। ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପି ଓ ଜିଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲାଟ୍‌ ପେପର ବ୍ୟବହାର କରାଯିବ। ଅବାଧ, ସ୍ୱଚ୍ଛ ଓ ନିରାପଦ ନିର୍ବାଚନ ନିମନ୍ତେ ସବୁ ଜିଲା ପାଇଁ ଜଣେ ଓ ବଡ଼ ଜିଲା ପାଇଁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ବୈଠକରେ ସିପିଆଇ, ସିପିଆଇଏମ୍, ୟୁସିସିଆଇ ଭଳି ବିଭିନ୍ନ ଦଳର ନେତୃବୃନ୍ଦ କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ।

Comments are closed.