୮ ହଜାର ୬୪୮ ନାମାଙ୍କନପତ୍ର ନାକଚ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ​ରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଏବେ ଆଶାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେଉଁଠି ଭୋଟର ତାଲିକାରେ ନାଁ ନଥାଇ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି ତ ଆଉ କେଉଁଠି ବିଭିନ୍ନ ଆର୍ଥିକ ବିଶୃଙ୍ଖଳା ଓ ମକଦ୍ଦମାରେ ଲିପ୍ତ ଥାଇ ଭୁଲ୍ ତଥ୍ୟ ଦେଇ ନାମାଙ୍କନପତ୍ର ଭରିଛନ୍ତି।

ରବିବାର ସୁଦ୍ଧା ୮ହଜାର ୬୪୮ ଆଶାୟୀଙ୍କ ନାମାଙ୍କନପତ୍ର ନାକଚ ହୋଇସାରିଲାଣି। ଆଗକୁ ଆଉ ଦୁଇଦିନ ରହିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ରହିଛି। ଏହି ପ୍ରକ୍ରିୟା ୨୫ତାରିଖ ସୁଦ୍ଧା ଚୂଡାନ୍ତ ହେବ। ତେବେ ଆଜି ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଯେଉଁ ତଥ୍ୟ ଆସିଛି ସେଥିରେ ୨ଲକ୍ଷ ୨୦ହଜାର ୪୧୪ ଆଶାୟୀଙ୍କ ନାମାଙ୍କନପତ୍ର କାଏମ ରହିଛି। ୨୧ ତାରିଖ ସୁଦ୍ଧା ୨ଲକ୍ଷ ୨୯ହଜାର ୬୨ ଆଶାୟୀ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ନାକଚ ହୋଇଥିବା ଆଶାୟୀଙ୍କ ମଧ୍ୟରୁ ସର୍ବାଧିକ ୫ହଜାର ୫୪୪ ପ୍ରାର୍ଥୀ ୱାର୍ଡସଭ୍ୟ ରହିଥିବାବେଳେ ୧୭୫୩ଜଣ ସରପଞ୍ଚ ପ୍ରାର୍ଥୀ, ୧୧୧୯ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୨୩୨ଜଣ ଜିଲାପରିଷଦ ପ୍ରାର୍ଥୀ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ଆଶାୟୀଙ୍କ ମଧ୍ୟରୁ ୧ଲକ୍ଷ ୫୬ହଜାର ୭୫୩ ୱାର୍ଡସଭ୍ୟଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ତଥା ୨୭ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ଓ ୩ ହଜାର ୭ଶହ ୬୭ ଜଣ ପ୍ରାର୍ଥୀଙ୍କ ଜିଲାପରିଷଦ ପଦପାଇଁ ନାମାଙ୍କନ ପତ୍ର କାଏମ୍ ରହିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ। ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧ହଜାର ୯୧୩ଜଣ ୱାର୍ଡସଭ୍ୟ, ୬୭୯୪ଜଣ ସରପଞ୍ଚ, ୬୭୯୩ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲାପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

Comments are closed.