ପଞ୍ଚକବ୍ରତରେ ପଞ୍ଚାନନ ବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି

କୋଭିଡ କଟକଣାରେ ଅନୁଷ୍ଠିତ ହେଲା ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ

ଆରଡି: ଧର୍ମରମାସ କାର୍ତ୍ତିକ ମାସର ଶେଷ ସୋମବାରରେ ପବିତ୍ର ପଞ୍ଚକବ୍ରତ ଆରମ୍ଭ ହୋଇଥିବାରୁ ଉତ୍ସବମୁଖର ହୋଇ ଉଠିଥିଲା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏସୋପି ଜାରି କରାଯିବା ସହ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ମିଳିଥିଲା ଅନୁମତି। ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି ବାବାଙ୍କୁ ଦର୍ଶନ କରିଥିଲେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଥିଲା। ପଞ୍ଚକବ୍ରତ ଠାରୁ ରାହାସ ପୂର୍ଣ୍ଣିମା ପ୍ରଯ୍ୟନ୍ତ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ଭୋର ୪ଟାରେ ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ରୁଦ୍ରାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର ଆଭୁଷଣ କରାଯାଇ ଦିଗମ୍ବର ଓ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା।। ତାହାସହ ଦୈନନ୍ଦିନ ନୀତିକାନ୍ତି ସହ ପଞ୍ଚକ ନୀତି ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଓ ପଠନ, ହରିହର ଭେଟ, ଦ୍ବାରପାଳ ପୂଜା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶ କରାଯାଇଥିଲା। ସଂଧ୍ୟା ଆଳତୀ, ଷୋଡଶ ଉପଚାର ପୂଜା ଆଦି ଅନୁଷ୍ଠିତ ହୋଇଥିଲା। ଆସନ୍ତା ରାହାସ ପୂର୍ଣ୍ଣିମାଦିନ ମଣିବାବାଙ୍କର ହରଗୌରୀ ବେଶ ଅନୁଷ୍ଠିତ ହେବ ବୋଲି ସେବାକାରୀ କହିଛନ୍ତି।

Comments are closed.