ପଣସୁଧା ଗୋଷ୍ଠୀ ସଂଘର୍ଷ ଓ ପୁଲିସ୍‍ ଭ୍ୟାନ୍‍ ପୋଡ଼ି ଘଟଣା : ଗିରଫ ସଂଖ୍ୟା ୨୧କୁ ବୃଦ୍ଧି

ବାଲିଚନ୍ଦ୍ରପୁର : ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ମାତାମଠ ନିକଟସ୍ଥ ବଜାରରେ ଶନିବାର ଘଟିଥିବା ଗୋଷ୍ଠୀସଙ୍ଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ପୁଲିସ ଏହାର ଦୁଇମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣକ ଫେରାର ରହିଛି। ଗୋଟିଏ ଗୋଷ୍ଠୀର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନନ୍ତନାରାୟଣ ଧଳ ଓରଫ ନାଣ୍ଡୁକୁ ଭୁବନେଶ୍ୱର ଓ ସହଯୋଗୀ ମନୋଜ ସାମଲ ଓରଫ ସାଲୁରାକୁ କଟକରୁ ପୁଲିସ ଗିରଫ କରିଛି। ଘଟଣାରେ ଗିରଫ ସଂଖ୍ୟା ୨୧ରେ ପହଞ୍ଚିଛି। ପୁଲିସ୍‍ ଗାଡ଼ି ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବସନ୍ତରାଜ ସାମଲ ଓରଫ ମିଟୁ ଫେରାର ଅଛି ଓ ତାକୁ ଧରିବା ପାଇଁ ଚଢଉ ଜାରି ରହିଛି, ବୋଲି ଯାଜପୁରରୋଡ୍‍ ଏସଡିପିଓ ଚିନ୍ମୟ ନାୟକ କହିଛନ୍ତି। ଗିରଫ ନାଣ୍ଡୁ ନାମରେ ପୂର୍ବରୁ ବାଲିଚନ୍ଦ୍ରପୁର ଥାନାରେ ୭ଟି ମାମଲା ଥିବା ପୁଲିସ ସୂଚନା ମିଳିଛି। ଫେରାର ମିଟୁ ନାମରେ ମଧ୍ୟ ବାଲିଚନ୍ଦ୍ରପୁର ଥାନାରେ ପୂର୍ବରୁ ୫ଟି ମାମଲା ରହିଥିବା ପୁଲିସ କହିଛି। ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡ଼ି ଘଟଣାରେ ବିରୋଧୀ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏଥିପାଇଁ ଶାସକ ବିଜେଡିକୁ ଦାୟୀ କରିଛି। ଘଟଣାରେ ସମ୍ପୃକ୍ତ ନାଣ୍ଡୁକୁ ଜାତୀୟ ସୁରକ୍ଷା ଆଇନରେ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। ବ୍ଲକ ମହିଳା ବିଜେଡି ସଭାନେତ୍ରୀଙ୍କ ସ୍ୱାମୀ ତଥା ଶିକ୍ଷକ ମିଟୁ ଦୀର୍ଘବର୍ଷ ହେବ ପଞ୍ଚାୟତରେ ଅରାଜକତା ସୃଷ୍ଟି କରୁଛି। ସେ ଜଣେ ସରକାରୀ କର୍ମଚାରୀ ହୋଇ ଗୋଷ୍ଠୀ ସଙ୍ଘର୍ଷରେ ସରକାରୀ ଗାଡି ପୋଡିବା ତାଙ୍କ ଅରାଜକତାର ଉଦାହରଣ ବୋଲି କଂଗ୍ରେସ ଅଭିଯୋଗ କରି ତୁରନ୍ତ ତାଙ୍କୁ ଚାକିରିରୁ ବହିସ୍କାର କରାଯାଉ ବୋଲି ଦାବି କରିଛି। ଯଦି ପୁଲିସ୍‍ ଶାସକ ଦଳ ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଘଟଣାକୁ ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବଡଚଣା କଂଗ୍ରେସନେତା ଅଜୟ ସାମଲ ଚେତାବନୀ ଦେଇଛନ୍ତି।

Comments are closed.