ଶୀତରେ ପିଅନ୍ତୁ ପାଳଙ୍ଗ ସୁପ୍

ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ସମସ୍ତେ ଏବେ ସତର୍କ ହୋଇଗଲେଣି। ଶୀତଦିନେ ଥଣ୍ଡା, ସର୍ଦ୍ଦି ରୋଗ ହେବା ସାଧାରଣ କଥା। ଏସବୁରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟପାନୀୟ ଉପରେ ପ୍ରଥମେ ଗୁରୁତ୍ବ ଦିଅନ୍ତୁ। ଶୀତଦିନିଆ ପରିବା ବଜାରରେ ପାଳଙ୍ଗ ଶାଗ ସହଜରେ ମିଳିଯାଏ। ବିଭିନ୍ନ ବ୍ୟଞ୍ଜନରେ ପାଳଙ୍ଗ ଶାଗ ମିଶାଇପାରିବେ ନଚେତ୍ ସପ୍ତାହରେ ୩-୪ଥର ପାଳଙ୍ଗ ଶାଗ ସୁପ୍ ପିଇପାରନ୍ତି।

କଣ ଆବଶ୍ୟକ

ପାଳଙ୍ଗ ଶାଗ କଟା ୧କପ୍, ବୁଟ ଡାଲି ୨ବଡ଼ ଚାମଚ ଭଲରେ ସିଝା ହୋଇଥିବା, ଅଦା ପେଷ୍ଟ ୧ଛୋଟ ଚାମଚ, ରସୁଣ ପେଷ୍ଟ ୧ଛୋଟ ଚାମଚ, ବଟର ୧ ଚାମଚ, ଲୁଣ ସ୍ବାଦାନୁସାରେ, ଗୋଲମରିଚ ଗୁଣ୍ଡ ୧ଛୋଟ ଚାମଚ, ଜିରା ଗୁଣ୍ଡ ୧ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳି

ପ୍ରଥ​‌ମେ ଚୁଲାରେ କଡ଼େଇକୁ ବସାଇ ଭଲରେ ଗରମ କରନ୍ତୁ। ଏବେ ସେଥିରେ ବଟର ପକାଇବା ପରେ ଅଦା-ରସୁଣ ପେଷ୍ଟ ମିଶାଇ ଭଲରେ କଷିନେବେ। କିଛି ସେକେଣ୍ଡେ ପରେ ପାଳଙ୍ଗ ଶାଗ ମିଶାଇ ୨ ମିନିଟ୍ କଷନ୍ତୁ। ସିଝା ବୁଟ ଡାଲି ମିଶାଇ ଚୁଲା ବନ୍ଦ କରିବେ। ମିଶ୍ରଣ ଥଣ୍ଡା ହେବା ପରେ ଗ୍ରାଇଣ୍ଡିଂ କରିବେ। ସେଇ ବଟାକୁ ଏକ ପାତ୍ରରେ ବାହାର କରି ଗୋଲମରିଚ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ ମିଶାଇ ସୁପ୍ ଭାବେ ପିଇପାରିବେ। ମିଶ୍ରଣ ଅଧିକ ଗାଢ଼ ହୋଇଥିଲେ, ସେଥିରେ ୧ବଡ଼ ଚାମଚ ଗରମ ପାଣି ମିଶାଇନେବେ।

ପାଳଙ୍ଗ ସୁପ୍‌ର ଉପକାରିତା

  •  ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ପାଳଙ୍ଗ ଶାଗ ସୁପ୍ ପିଇଲେ କେଶ ଝଡ଼ା ସମସ୍ୟା ମଧ୍ୟ ଦୂର ହୁଏ।
  •  ଶରୀରରେ କର୍କଟ ପ୍ରତିରୋଧୀ କ୍ଷମତା ବଢ଼ାଇବାରେ ମଧ୍ୟ ପାଳଙ୍ଗ ଶାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ସପ୍ତାହକୁ ୨-୩ଥର ଏଇ ସୁପ୍ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ।
  •  ପିଲାମାନେ ମଧ୍ୟ ଏଇ ସୁପ୍ ପିଇପାରିବେ। ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ ଏଇ ସୁପ୍ ପିଇଲେ ଲାଭ ମିଳୁଥିବାର ବିଶେଷଜ୍ଞଙ୍କ ମତ।
  •  ପାଳଙ୍ଗ ଶାଗକୁ ଅଧିକ ଦିନ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ସତେଜ ରନ୍ଧା ପାଳଙ୍ଗ ସୁପ୍ ପିଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

Comments are closed.