ପାକିସ୍ତାନରେ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ସାମ୍ବାଦିକଙ୍କ ସ୍ୱାମୀ ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ

ଇସଲାମାବାଦ : ପାକିସ୍ତାନରେ ଜଣେ ୨୭ ବର୍ଷ ବୟସ୍କା ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶାହିନ୍ ଶାହିନ୍ ବାଲୋଚ ନାମକ ଏହି ସାମ୍ବାଦିକା ଏକ ସରକାରୀ ଟିଭି ଚ୍ୟାନେଲରେ ଆଙ୍କର୍ ଏବଂ ସାମ୍ବାଦିକ ଥିଲେ। ତାଙ୍କୁ କିଛି ଦିନ ପୂର୍ବରୁ ବାଲୁଚିସ୍ତାନର ତୁର୍ବାଟକୁ ବଦଳି କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ସାମ୍ବାଦିକଙ୍କ ସ୍ୱାମୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଶାହିନ୍ ଜଣେ ଯୁବ ସାମ୍ବାଦିକ ଥିଲେ
ଶାହିନ୍ ପୂର୍ବରୁ ଇସଲାମାବାଦରେ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିଲେ। ଏହା ପରେ ତାଙ୍କୁ ସରକାରୀ ଟିଭି ଚ୍ୟାନେଲରେ ନିଯୁକ୍ତି ମିଳିଥିଲା। ଇସଲାମାବାଦରେ କିଛି ମାସ ରହିବା ପରେ ଶାହିନଙ୍କୁ ବାଲୁଚିସ୍ତାନକୁବଦଳି କରାଯାଇଥିଲା। ସେ ଏକ ସ୍ଥାନୀୟ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ। ୨୭ ବର୍ଷର ଶାହିନ୍ ମଧ୍ୟ କ୍ୱେଟା ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ।

ଘର ଭିତରେ ହତ୍ୟା କରାଯାଇଥିଲା
ତାଙ୍କ ଘରେ ପ୍ରବେଶ କରି ଶାହିନଙ୍କୁ ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ ଏହି ଦୁଇ ଆକ୍ରମଣକାରୀ ତାଙ୍କ ଘରେ ପହଞ୍ଚିଥିଲେ। କବାଟ ଖୋଲିବା ମାତ୍ରେ ଶାହିନଙ୍କ ଉପରକୁ ଗୁଳି ଚଳାଇଥିଲେ। ଶାହିନଙ୍କ ଉପରକୁ  ପାଞ୍ଚଟି ଗୁଳି ଚଳାଯାଇଥିଲା। ପୁଲିସର ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ଶାହିନଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ କିଛି ସମୟ ପରେ ସେ ସେଠାରେ ନିଜର କାର ଛାଡି  ଖସି ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଶାହିନଙ୍କ ପରିବାରର କିଛି ଲୋକଙ୍କ ବିରୋଧରେ ମାମଲା ଦାୟର କରାଯାିଛି। ଏଥିରେ ଶାହିନଙ୍କ ସ୍ୱାମୀଙ୍କ ନାମ ଅନ୍ତର୍ଭୁକ୍ତ।

ବିଶ୍ବାସ କରାଯାଏ ଯେ ବାଲୁଚିସ୍ତାନରେ ସେ ବହୁତ ପ୍ରସିଦ୍ଧି ଅର୍ଜନ କରିଥିବାରୁ ତାଙ୍କ ସ୍ୱାମୀ ଶାହିନଙ୍କୁ ହତ୍ୟା କରିଛନ୍ତି।  ସୂଚନାଯୋଗ୍ୟ ୨୦୧୮ର ଏକ ରିପୋର୍ଟ ଅନୁସାରେ ବାଲୁଚିସ୍ତାନରେ ସମ୍ମାନ ନାମରେ ୩୦ ଜଣ ମହିଳାଙ୍କ ସମେତ ୫୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ରିପୋର୍ଟ ଦି ଅରାତ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଏହି ସଂଗଠନ ମହିଳାଙ୍କ ଅଧୀକାର ପାଇଁ କାର୍ଯ୍ୟ କରୁଛି। ଶାହିନ୍ ଏହି ରିପୋର୍ଟ ପ୍ରସ୍ତୁତି ଏବଂ ପ୍ରସାରଣରେ ସହାୟତା କରିଥିଲେ ବୋଲି ଅଭିଯୋଗ ହେଉଥିଲା।

ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ!

ସୂଚନାଯୋଗ୍ୟ, ଶାହିନଙ୍କ ପୂର୍ବରୁ, ଗତ ବର୍ଷ ମେ ମାସରେ ଉରୁଜ ଇକବାଲ ନାମକ ଜଣେ ମହିଳା ସାମ୍ବାଦିକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ସେ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିଲେ। ପରିବାର ଲୋକେ ଜଣେ ନେତା ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଅଦ୍ୟାବଧି ହତ୍ୟାକାରୀ ଚିହ୍ନଟ ହୋଇପାରି ନାହିଁ। ଉରୁଜଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ହତ୍ୟା କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ୧୯୯୨ ମସିହାରୁ ଏ ପର୍ଯ୍ୟନ୍ତ, ଅର୍ଥାତ୍ ୨୮ ବର୍ଷ ମଧ୍ୟରେ ପାକିସ୍ତାନରେ ୬୧ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ତେବେ ଏହି ସପ୍ତାହରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନରେ ସାମ୍ବାଦିକମାନେ ସୁରକ୍ଷିତ ବୋଲି କହିଥିଲେ।

 

Comments
Loading...