ପାକ୍ ସେନାର ଅସ୍ତ୍ର ବିରତି ଉଲଂଘନ : ଜଣେ ଜେସିଓ ଶହୀଦ

ଚଳିତବର୍ଷ ଏପର୍ଯ୍ୟନ୍ତ ୧୭୯୩ଥର ଅସ୍ତ୍ର ବିରତି ଉଲଂଘନ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନୌସେରା ଅଞ୍ଚଳର ଖେରୀ ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ବୁଧବାର ପୁଣି ଅସ୍ତ୍ର ବିରତି ଉଲଂଘନ କରିଛନ୍ତି। ପାକ୍ ସେନା  ଆଖିବୁଜା ଗୁଳିଗୋଳା ବର୍ଷଣ କରିବା ସହ ପ୍ରବଳ ମୋର୍ଟାର ଆକ୍ରମଣ କରିଛନ୍ତି। ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଏହାର ଉଚିତ ଜବାବ ଦେଇଛନ୍ତି। ଗୁଳି ବିନିମୟରେ ୧୪-ପଞ୍ଜାବ ରେଜିମେଣ୍ଟର ଜଣେ ଜେସିଓ ଶହୀଦ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପିଆର୍‍ଓ କର୍ଣ୍ଣେଲ୍‍ ଦେବିନ୍ଦର ଆନନ୍ଦ କହିଛନ୍ତି, ପାକିସ୍ତାନୀ ସୈନ୍ୟମାନେ ଖେରୀ ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖାଠାରେ ଆଜି ବଡ଼ିଭୋରୁ ପ୍ରବଳ ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ ଆରମ୍ଭ କରିଥିଲେ। ଏଥିରେ ଜଣେ ଜେସିଓ ଶହୀଦ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଆର୍ମି ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ପରଲୋକ ଘଟିଥିଲା। ସେ କହିଛନ୍ତି, ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାକିସ୍ତାନୀ ଆକ୍ରମଣର ଉଚିତ ଜବାବ
ଦେଇଛନ୍ତି।
ଚଳିତବର୍ଷ ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣରେଖାଠାରେ ୧୭୯୩ ଥର ଅସ୍ତ୍ର ବିରତି ଉଲଂଘନ କରାଯାଇଛି।

Comments are closed.